ଆଉ ନାହାନ୍ତି ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ
ସମ୍ବଲପୁର,------:ସମାଜର ସାଥି, ପ୍ରତି ମଣିଷର ଜୀବନରେଖା ଭାବେ ପରିଚିତ ଡ଼ା. ରସେଶ୍ୱରୀ ପାଣିଗ୍ରାହୀ । ସେ ଆଉ ନାହାନ୍ତି। ଚିକିତ୍ସା ଜଗତର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ,ଶତାଧିକ ଜୀବନର ପ୍ରାଣଦାତା । ସେବାର ନାୟିକା ତଥା ସମ୍ବଲପୁର ସହରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ । ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସମ୍ବଲପୁର ଶାନ୍ତିନଗର ସ୍ଥିତ ନିଜ ବାସଭବନରେ ରାତି ପ୍ରାୟ ୮.୫୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।ଆଜି ପ୍ରାୟ ମଧ୍ୟାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଆଡକୁ ଗତି କରୁଥିବା ନେଇ ସମଗ୍ର ସହର କାହିଁକି ପଶ୍ଚିମାଞ୍ଚଳରେ ଚହଳ ପଡିଯିବାରୁ ଅପରାହ୍ଣରେ ତାଙ୍କ ବାସ ଭବନରେ ଭିଡ଼ ଜମିଵା ସହିତ ବିଭିନ୍ନ ମନ୍ଦିର ରେ ପୂଜାର୍ଚନା ସହିତ ସାମାଜିକ ଗଣମାଧ୍ୟମ ରେ ତାଙ୍କ ଆରୋଗ୍ୟ କାମନା ପାଇଁ ଶୁଭେଛୁ ମାନଙ୍କ ଆଶୀର୍ବାଦ କାମନା ଛାଇ ହୋଇଯାଇଥିଲା। ଭାଇ ତଥା ବରିଷ୍ଠ ସାମ୍ବାଦିକ ସୁବାସ ପାଣିଗ୍ରାହୀ ତାଙ୍କ ସହିତ ଛାଇ ଭଳି ରହିଥିଲେ।
ଏକ ନିଷ୍ଠାପର ଦାୟିତ୍ୱ ସମ୍ପର୍ଣ୍ଣ ଓ ସେବା ମନୋଭାବ ପାଇଁ ତାଙ୍କ ଉତ୍ସର୍ଗୀକୃତ ଜୀବନ ତାଙ୍କୁ ସହର କାହିଁକି ସମଗ୍ର ରାଜ୍ୟରେ ଜଣେ ଲୋକପ୍ରିୟ ପ୍ରତିଭା ଭାବରେ ବିକଶିତ କରିଥିଲା।
ଡାକ୍ତର ପାଣିଗ୍ରାହୀ କେବଳ ଜଣେ ଡାକ୍ତର ଵା ସମାଜସେବୀ ନଥିଲେ ବରଂ ଜଣେ ରାଜନେତା ଭାବରେ ତାଙ୍କର ପ୍ରସିଦ୍ଧି ରହିଥିଲା। ସେ ସମ୍ବଲପୁର ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିଲେ ମଧ୍ୟ ସେ ଶ୍ରେଷ୍ଠ ବିଧାୟକ ଭାବେ ବିଧାନସଭାରେ ପୁରସ୍କୃତ ହୋଇଥିଲେ। ଏପରିକି ଏହା ପୂର୍ବରୁ ଜଣେ ସୁନାମଧନ୍ୟ ସ୍ତ୍ରୀ-ରୋଗ ବିଶେଷଜ୍ଞ ଭାବେ ସେ ହଜାର ହଜାର ରୋଗୀଙ୍କୁ ସେବା ଯୋଗାଇ ସମସ୍ତଙ୍କ ହୃଦୟର ଦେବତା ଭାବେ ପୂଜା ପାଉଥିଲେ।ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲ ରୁ ଡାକ୍ତରୀ ଶିକ୍ଷା ପାଇଁ ସେଇଠି ହିଁ ଅନେକ ଡାକ୍ତର ତିଆରି କରିବା ସହ ସେବା ରେ ନିଜକୁ ସାମିଲ କରିଥିଲେ। ଏକ ଆଭିଜାତ୍ୟ ପରିବାର ର ଝିଅ ହୋଇ ମଧ୍ୟ ସେବାକୁ ପାଥେୟ କରି ଜୀବନର ଶେଷ ଯାଏ ସେ ଅବିବାହିତ ହୋଇ ପ୍ରତି ମଣିଷର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ସମାଜ ସେବା ପାଇଁ ସମର୍ପିତ
ଗରିବ ଓ ଅସହାୟ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ସେ ‘ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଟ୍ରଷ୍ଟ ଫଣ୍ଡ’ ପ୍ରତିଷ୍ଠା କରିଥିଲେ। ଏହି ଟ୍ରଷ୍ଟ ମାଧ୍ୟମରେ ସେ ଅନେକ ମେଧାବୀ ତଥା ଆର୍ଥିକ ଅନଗ୍ରସର ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇ ଆସୁଥିଲେ।ଡାକ୍ତର ରାସେଶ୍ୱରୀ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଏବଂ ବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀଙ୍କ ଭଉଣୀ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମ୍ବଲପୁର କାହିଁକି ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।ତାଙ୍କର ଏହି ଅପୂରଣୀୟ କ୍ଷତି ପାଇଁ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଉଛି।
ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡାକ୍ତର ପାଣିଗ୍ରାହୀଙ୍କ ଦେହାନ୍ତ ଖବର ପାଇ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି ସେ କେବଳ ଜଣେ ଜନପ୍ରତିନିଧି ନଥିଲେ, ବରଂ ଜଣେ ସେବାଭିମୁଖୀ ବ୍ୟକ୍ତିତ୍ୱ ଭାବେ ସମ୍ବଲପୁରର ଘରେ ଘରେ ସୁପରିଚିତ ଥିଲେ । ଜଣେ ଦକ୍ଷ ଡାକ୍ତର ଭାବେ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ସେବା କରି ଆସିଥିଲେ ।ସମ୍ବଲପୁର ବିଧାୟିକା ଭାବେ ସେ ଅଞ୍ଚଳର ବିକାଶ ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ଶିକ୍ଷା ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବିୟୋଗ ଓଡ଼ିଶାର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଅନ୍ୟ ପକ୍ଷରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଝାରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୁଝାରୀ, ରେଢ଼ାଖୋଲ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ବହୁ ରାଜନେତା ଓ ଗୁଣିଜ୍ଞାନୀ ମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
