ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାମୁଦ୍ରିକ ପରିସଂସ୍ଥା ଏବଂ ଜଳବାୟୁ ଆହ୍ୱାନ ଉପରେ ଜାତୀୟ ସମ୍ମିଳନୀ
ଜଟଣୀ :--ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍ ଏକ୍ସଲେନ୍ସ ‘ସେଣ୍ଟର ଫର ଆର୍ଥ ସିଷ୍ଟମ ଆଣ୍ଡ ସଷ୍ଟେନେବିଲିଟି’ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ “କୋଷ୍ଟାଲ ଇକୋସିଷ୍ଟମ ଆଣ୍ଡ ଇମର୍ଜିଙ୍ଗ ଚ୍ୟାଲେଞ୍ଜେସ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ପ୍ରୟୋଜିତ ଏହି କାର୍ଯ୍ୟକ୍ରମରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଉଦଘାଟନୀ ଉତ୍ସବରେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ବୈଜ୍ଞାନିକ ଡ. ଅନିଲ କୁମାର ବିଜୟନ ମୁଖ୍ୟ ଅତିଥି ଏବଂ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମିଳନୀରେ ସାରା ଭାରତରୁ ପ୍ରାୟ ୮୦ ଜଣ ବୈଜ୍ଞାନିକ ଓ ଗବେଷକ ଅଂଶଗ୍ରହଣ କରିଥିଲେ। ଏଥିରେ ସାମୁଦ୍ରିକ ଜୈବ ବିବିଧତା, ମତ୍ସ୍ୟ ସମ୍ପଦର ସ୍ଥାୟୀ ପରିଚାଳନା ଏବଂ ସାମୁଦ୍ରିକ ପ୍ରଦୂଷଣ ନିୟନ୍ତ୍ରଣ ପରି ୫ଟି ମୁଖ୍ୟ ବିଷୟବସ୍ତୁ ଉପରେ ୧୬ଟି ସ୍ୱତନ୍ତ୍ର ବୈଷୟିକ ଆଲୋଚନା ଓ ପୋଷ୍ଟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।
ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଡ. କମଲ ବାରିକ ଏହି ସମ୍ମିଳନୀର ଆବାହକ ଏବଂ ରସାୟନ ବିଜ୍ଞାନ ବିଭାଗର ଡ. ପ୍ରତାପ କୁମାର ଛୋଟରାୟ ସମ୍ପାଦକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ବୈଜ୍ଞାନିକ ଡ. ନୋବି ଏ. ପି. ଏବଂ ପ୍ରୋ-ଭାଇସ ଚାନ୍ସେଲର ପ୍ରଫେସର ବିଶ୍ୱଜିତ ମିଶ୍ର ଯୋଗଦେଇ ଆୟୋଜକଙ୍କୁ ପ୍ରଶଂସା କରିବା ସହ ଉପକୂଳ ସୁରକ୍ଷା ପାଇଁ ସରକାର ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗର ଆବଶ୍ୟକତା ଉପରେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସାଗ୍ରୋ ଟେକ୍ ସଲ୍ୟୁସନ, ବ୍ଲୁ ଓସେନ, ଇଫକୋ , ମହାପାତ୍ର ସାଇଣ୍ଟିଫିକ ଏବଂ ସ୍ପନ୍ଦନ ସହାୟତା କରିଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୨/୨୦୨୬---୮,୩୫ Sakhigopal News,15/2/2026
