ସାମ୍ବାଦିକ କହି ବଟି ମାଗିବା ମହଙ୍ଗା ପଡିଲା; ଥାନାରେ ଏତଲା
ସତ୍ୟବାଦୀ - ---- ନିଜକୁ ରାଜ୍ୟସ୍ତରୀୟ ସାମ୍ବାଦିକ କହି ସ୍ଥାନୀୟ ସରଙ୍ଗଯୋଡ଼ି ପଂଚାୟତ ଅଧୀନ ବଁପାଳ ଗ୍ରାମର ଗଗନ ମହାପାତ୍ରଙ୍କ ଠାରୁ ବଟି ଆଦାୟ କରୁଥିବା ଜଣେ ବ୍ୟକ୍ତିଙ୍କ ନାମରେ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗଗନ ତାଙ୍କ ନିଜ ଜାଗାରୁ ମାଟି ଖୋଳି ଘରକୁ ନେବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଧମାକାଇବା ସହ ମାଟି ଖୋଲିବାର ଅନୁମତିପତ୍ର ମାଗିଥିଲେ। ତହସିଲଦାର ଓ ଜିଲ୍ଲପାଳ କୁଆଡେ ତାଙ୍କୁ ଏହି ସବୁ ତଦାରଖ ଦାୟିତ୍ୱ ଦେଇଥିବା କହିଥିଲେ। ତାଙ୍କୁ ବଟି ନଦେଲେ ବହୁତ ହଇରାଣ ହେବେ ଏବଂ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ ବୋଲି କହିଥିଲେ। ତେଣୁ ସରଙ୍ଗଯୋଡ଼ି ନିକଟ ଏକ ନିଛାଟିଆ ସ୍ଥାନକୁ ଗଗନଙ୍କୁ ଡାକି ଟଙ୍କା ମାଗିଥିବା ସେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତାର ସମ୍ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଅଭିଯୁକ୍ତ ନିଜକୁ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ବୋଲି ଦାଵି କରୁଥିବା ଦେଖାଯାଉଛି। ସେ ଏକା ନୁହନ୍ତି ଆଉ ୨ଜଣ ତାଙ୍କ ଟିମରେ ରହିଥିବା ସେ କହିଛନ୍ତି। ତେବେ ସେ ୨ଜଣ କିଏ ଯେଉଁମାନେ ଏଭଳି ଗରିବ ଜନସାଧାରଣଙ୍କୁ ଧମକାଇ ବଟି ଆଦାୟ କରୁଛନ୍ତି, ତାହା ଉପଯୁକ୍ତ ତଦନ୍ତ ହେଲେ ଜଣାପଡିବ ବୋଲି ଦାବି ହେଉଛି। ଅନ୍ୟପଟେ ଏହି ଘଟଣାକୁ ସୋସିଆଲ ମିଡିଆରେ ଶେୟାର କରିଥିବା ଦେବ ବେହେରାଙ୍କ ଘରକୁ ଯାଇ ଉକ୍ତ ନକଲି ସାମ୍ବାଦିକ ଜଣଙ୍କ ଗାଳିଗୁଲଜ କରିବା ସହ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିବା ଥାନାରେ ଅନ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି ଦେବଙ୍କ ପତ୍ନୀ ରୋଜି ବେହେରା। ସତ୍ୟବାଦୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇଆଇସି ସୌମ୍ୟ ରଞ୍ଜନ ମହାଲିକ ପ୍ରକାଶ କରିଛନ୍ତି। ଏହି ନକଲି ସାମ୍ବାଦିକଙ୍କୁ ତୁରନ୍ତ ଗିରଫ କରିବାକୁ ସାମାଜିକ କର୍ମୀ ସୁଶୀଲ ସାହୁ ଦାଵି କରିଛନ୍ତି। କେବଳ ଏହି ଘଟଣା ନୁହେଁ ସତ୍ୟବାଦୀ ଅଂଚଳରେ ଅଭିଯୁକ୍ତ ଏହିଭଳି ଅନେକ କେଳେଙ୍କାରୀ କରିଥିବା ସେ କହିଛନ୍ତି। ସତ୍ୟବାଦୀର ସାମ୍ବାଦିକ ତଥା ବୁଦ୍ଧିଜୀବୀମାନେ ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାଵି କରିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୨/୨୦୨୬---୯,୪୫ Sakhigopal News,22/2/2026
