ଶ୍ରୀ ବିନୋଦବିହାରୀ ଠାକୁରଙ୍କ ମକର ପର୍ବ ପାଳିତ
ସାକ୍ଷୀଗୋପାଳ --- ପୁରୀ ଜିଲାର ସୁଆଣ୍ଡୋ ସ୍ଥିତ ଶ୍ରୀ ରାଧା ବିନୋଦବିହାରୀ ଠାକୁରଙ୍କ ମକର ପର୍ବ ପାରମ୍ପରିକ ରିତିନୀତି ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ସକାଳ ନୀତିକାନ୍ତି ସରିବା ପରେ ଚନ୍ଦନ ଚକଡାରେ ମକରଚାଉଳ ପ୍ରସ୍ତୁତ କରାଯାଇ ଥିଲା । ନୂଆ ଅରୁଆ ଚାଉଳ , ନଡିଆ , ସାକର , ଛେନା , କ୍ଷୀର , ସରଲବଣି , କଦଳୀ , ସେଓ , ଅଙ୍ଗୁର , କମଳା , ଧନୁମୁଆଁ , ଆଖୁ , ଅଦା , ଗୋଲମରିଚ , ଅଳେଇଚ , କର୍ପୂର ଆଦିକୁ ତାଡରେ ପୂଜକ ବାସୁଦେବ ପଣ୍ଡା ପ୍ରସ୍ତୁତ କରିଥିଲେ । ବିଜେ ପ୍ରତିମା ଘଣ୍ଟ, ଶଙ୍ଖ ଆଦି ବାଜାବାଜି ମନ୍ଦିର ଚାରିପଟେ ତିନି ଘେରା ପ୍ରଦକ୍ଷିଣ କରିବା ପରେ ସିଂହାସନ ବିଜେ କରିଥିଲେ । ଠାକୁର ତୁଳସୀ ଫୁଲମାଳରେ ଭୂଷଣ ହୋଇଥିଲେ । ଅରୁଆ ଚାଉଳ ଓ ପଞ୍ଚପଲ୍ଲବରେ ଠାକୁରଙ୍କ ବନ୍ଦାପନା ନୀତିକାନ୍ତି ସରିବା ପରେ ମକର ବେଢା ନୀତି ସରିଥିଲା । ମକରଚାଉଳ ଓ ଚୁଡାଘସା , ଧନୁମୁଆଁ , ପାଚିଲା କଦଳୀ ସହିତ ନାନାଦି ଫଳମୂଳ ଭୋଗଲାଗି କରାଯାଇ ଥିଲା । ଠାକୁରଙ୍କ ନୀତିକାନ୍ତି ସରିବା ପରେ ମକରଚାଉଳ ଶ୍ରଦ୍ଧାଳୁମାନଙ୍କ ମଧ୍ଯରେ ବଣ୍ଟନ କରାଯାଇ ଥିଲା । ସେହିପରି ବରାଳ ସ୍ଥିତ ବାଲୁଙ୍କେଶ୍ୱର , ଶ୍ରୀରାମଚନ୍ଦ୍ର ପୁର , ବୀର ରାମଚନ୍ଦ୍ର ପୁର , ବିଶ୍ୱନାଥ ପୂର, ବୀର ଗୋବିନ୍ଦ ପୁର , ରାୟଚକ୍ରଧରପୁର , ରାୟ ଖଣ୍ଡି , ବଳପୁର ବାଲୁଙ୍କେଶ୍ୱର, କୁଣ୍ଡଳେଶ୍ୱରମହାଦେବ, ସୋମେଶ୍ୱର ପୁର, ମୁଆଁଖଆ,ରନ୍ନେଶ୍ବର, ଖଜୁରୋଶ୍ବର, ବାଟ ମହାବୀର ପ୍ରମୁଖ ଶାସନବାଡ ଓ ଗ୍ରାମମାନଙ୍କରେ ଥିବା ବିଭିନ୍ନ ଦେବାଳୟ ମାନଙ୍କରେ ମକର ସଂକ୍ରାନ୍ତି ପର୍ବ ପାଳନ ହୋଇଯାଇଛି। ଦେବମନ୍ଦିର ଗୁଡିକରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଭକ୍ତମାନଙ୍କ ଗହଳି ଲାଗିଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧/୨୦୨୬----୭,୨୫ Sakhigopal News,14/1/2026
