ସତ୍ଯବାଦୀ ବ୍ଲକ ସ୍ତରୀୟ ଖରିଫ ଧାନମଣ୍ଡି ଉଦଘାଟନ * ୫ହଜାର୪ଶହ ଚାଷୀଙ୍କ ଠାରୁ ୧ ଲକ୍ଷ ୨୦ହଜାର୫୧୫କୁଇଣ୍ଟାଲ ଧାନ କିଣା ହେବ
ସାକ୍ଷୀଗୋପାଳ --- ଚଳିତ ଖରିଫରୂତୁରେ ସରକାରୀ ସ୍ତରରେ ସତ୍ଯବାଦୀ ବ୍ଲକରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ସାଂସଦଙ୍କ ସତ୍ୟବାଦୀ ବ୍ଳକ ର ପ୍ରତିନିଧି ତ୍ରିଲୋଚନ ରଥ ଅନୁଷ୍ଠିତ ସଭାରେ ସଭାପତି କରିବା ସହ ସଂଯୋଜନା କରିଥିଲେ। ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ସତ୍ଯବାଦୀ ବିଡିଓ ଦେବାଶିଷ ନାୟକ , ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର , ଜିଲାପରିଷଦ ସଭ୍ଯା ବିଷ୍ଣୁପ୍ରିୟା ବରାଳ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପୁରୁଷୋତ୍ତମ ନାୟକ, ସମିତି ସଭ୍ଯ ଦିପକ ଶତପଥୀ , ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ ଓ ବ୍ଲକ ଯୋଗାଣ ଅଧିକାରୀ ଦେବ ଜ୍ଯୋତି ଦାସ ପ୍ରମୁଖ ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଧାନମଣ୍ଡି ଉଦଘାଟନ କରାଯାଇ ଥିଲା । ୧୬ଟି ସମବାୟ ସମିତି ଓ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଚଳିତ ବର୍ଷ ସତ୍ଯବାଦୀ ବ୍ଲକରେ ଧାନ ଚାଷୀମାନଙ୍କ ଠାରୁ ଧାନ କିଣିବେ । ଚାଷୀମାନଙ୍କ ସୁବିଧା ପାଇଁ ପ୍ରତ୍ଯେକ ଧାନମଣ୍ଡିରେ ପାନୀୟ ଜଳ , ବିଜୁଳି ଆଦି ମୌଳିକ ସୁବିଧା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପୁରୁଷୋତ୍ତମ ନାୟକ। ୫୪୦୦ ଚାଷୀଙ୍କ ନିକଟରୁ ୧ଲକ୍ଷ ୨୦ ହଜାର ୫୦୦ କୁଇଣ୍ଟାଲ ଧାନ କିଣାଯିବ । ଚାଷୀମାନେ ସୁତୁଲି ଅଖାରେ ଧାନ ଆଣି ମଣ୍ଡିରେ ବିକ୍ରୟ କରିବେ । ଆସନ୍ତା ବର୍ଷଠାରୁ ଯେଉଁ ଚାଷୀଙ୍କ ନାମରେ ଜମି ଥିବ ସେ ହିଁ କେବଳ ନାମ ପଞ୍ଜିକରଣ କରିପାରିବେ ବୋଲି ତହସିଲଦାର ଶ୍ରୀ ପାଣିଗ୍ରାହୀ କହିଥିଲେ । ସୁତୁଲି ଅଖା ଚାଷୀମାନେ ସମବାୟ ସମିତି ମାନଙ୍କରୁ ପାଇପାରିବେ । ଏସଂପର୍କରେ ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର କହିଲେ ସରକାର ତୁରନ୍ତ ସମବାୟ ସମିତି ଗୁଡିକୁ ସୁତୁଲି ଅଖା ଯୋଗାଇ ଦେବା ଦରକାର । ସେହିପରି ଚାଷୀମାନେ ଧାନ ବିକ୍ରି ସମୟରେ କାଟେଣି ଛାଟେଣୀ ନାହିଁ ବୋଲି ସରକାର ଘୋଷଣା କରୁଥିବା ବେଳେ ଗତବର୍ଷ କୁଇଣ୍ଟାଲ ଧାନ ପ୍ରତି ୬ରୁ ୧୦ କିଲୋ କାଟେଣି ଛାଟେଣୀ ଚାଷୀମାନେ ଦେଇ ଧାନ ବିକ୍ରି କରିଥିଲେ । ତେଣୁ ଚଳିତ ବର୍ଷ କେତେ କାଟେଣି ଛାଟେଣୀ ଚାଷୀମାନେ ଦେବେ ତାହା ସରକାରୀ ସ୍ତରରେ ଘୋଷଣା କରିବାକୁ ଜିଲାପରିଷଦ ସଭ୍ଯ ଶ୍ରୀ ମିଶ୍ର ପ୍ରଶ୍ନ ପଚାରିଥିଲେ । ହେଲେ ବିଭାଗୀୟ ଅଧିକାରୀ ମାନେ ଏହାକୁ ଏଡେଇ ଯାଇଥିଲେ । ଅନ୍ଯପକ୍ଷରେ ଚାଷୀମାନଙ୍କ ପାଇଁ ସୁତୁଲି ଅଖା ଏବେ ବଡ ସମସ୍ଯା ଭାବେ ଦେଖାଦେଇଛି । ଗୋଟିଏ ୫୦ କିଲୋର ସୁତୁଲି ଅଖା ୩୫ଟଙ୍କା ବଜାରରେ ପଡୁଥିବା ( ସୁତୁଲି ଅଖା ପର୍ଯ୍ଯାପ୍ତ ପରିମାଣରେ ଉପଲବ୍ଧ ହେଉନାହିଁ ) ବେଳେ ଚାଷୀମାନେ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି ଚାଷୀମାନେ କହୁଛନ୍ତି । ଚାଷୀମାନଙ୍କ ସୁବିଧା ପାଇଁ ସରକାର ସମବାୟ ସମିତି ଗୁଡିକୁ ତୁରନ୍ତ ସୁତୁଲି ଅଖା ପର୍ଯ୍ଯାପ୍ତ ପରିମାଣରେ ଯୋଗାଇ ଦେବା ଦରକାର ବୋଲି ଜିଲାପରିଷଦ ସଭ୍ଯ ଶ୍ରୀ ମିଶ୍ର ଓ ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ ନିବେଦନ କରିଥିଲେ । ସେହିପରି ମିଲର ମାନେ କାଟେଣି ଛାଟେଣୀ ସହିତ ଓଜନରେ ମଧ୍ୟ କାଟ ନେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ ଆଣିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୧୬/୧/୨୦୨୬--୭,୨୦ Sakhigopal News,16/1/2026
