ଦୋକାନରୁ ଲୁଟପାଟ କରି ତିନି ଚୋର ଗିରଫ
ଜଟଣୀ --- ଜଟଣୀ ଥାନା ଅନ୍ତର୍ଗତ ଖୋଲାଦ୍ୱାର ନିକଟରେ ଥିବା ଆଇଟିସି କମ୍ପାନୀ ସନ୍ନିକଟରେ ବିକ୍ରାନ୍ତ ନାରାୟଣ ମହାପାତ୍ର ନାମକ ଜଣେ ଯୁବକଙ୍କ ଦୋକାନରୁ ଗତ ୪ ତାରିଖ ପ୍ରାୟ ୦୨.୩୦ ସମୟରେ ଚୋରି ହୋଇଥିଲା। ଶ୍ରୀ ମହାପାତ୍ରଙ୍କ ଲିଖିତ ରିପୋର୍ଟ ଆଧାରରେ 6/26 ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା ସ୍ଥାନୀୟ ପୋଲିସ । ଅଭିଯୋଗ ପତ୍ରରେ ତାଙ୍କ ଗ୍ରାମର ବାସିନ୍ଦା ଅଭିଯୁକ୍ତ ମାନସ, ଉଗ୍ରସେନ ଏବଂ ରୋହିତ ମିଶି ଉକ୍ତ ଚୋରି ଘଟଣାକୁ ଘଟାଇଥିବା ଅଭିଯୋଗ ଆଣିଥିଲେ ଶ୍ରୀ ମହାପାତ୍ର।ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କୁ ସେମାନଙ୍କ ଘର ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି କରାଯାଇଥିଲା । କିନ୍ତୁ ସେମାନେ ଫେରାର୍ ଥିଲେ। ତେବେ ସୋମବାର ନିର୍ଭରଯୋଗ୍ୟ ସୂଚନା ପାଇ ଅଭିଯୁକ୍ତମାନଙ୍କ ଘରେ ଲଗାତାର ଚଢାଉ କରିଥିଲା ପୋଲିସ । ସମସ୍ତ ତିନି ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ପୃଥକ ଭାବରେ ଗିରଫ କରାଯାଇଥିଲା ଏବଂ ପଚରାଉଚରା ସମୟରେ ଅପରାଧରେ ସେମାନଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ।ତଲାସୀ ସମୟରେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଘରୁ ଗୋଟିଏ ଖାଲି ଏଚପି ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚରୁ ଅଭିଯୁକ୍ତ ବାବୁ ମହାପାତ୍ର (38)ଓରଫ ମାନସ ମହାପାତ୍ର ଏବଂ ଅଭିଯୁକ୍ତ ପାଗଳ ଜେନା (30)ଓରଫ ଉଗ୍ରସେନ ଜେନା ପୂର୍ବରୁ ଜଟଣୀ ଥାନାରେ ଗୋଟିଏ ଗୋଟିଏ ମାମଲାରେ ଜଡିତ ଥିବା ବେଳେ ଅଭିଯୁକ୍ତ ବାପି ଜେନା 31)ଓରଫ ରୋହିତ ଜେନା ପୂର୍ବରୁ ଜଟଣୀ ଥାନାରେ ମୋଟ ତିନୋଟି ମାମଲାରେ ଜଡିତ ରହିଛନ୍ତି।ସମସ୍ତ ଆଇନଗତ ଔପଚାରିକତା ପୂରଣ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୧/୨୦୨୬---୮,୧୦ Sakhigopal News,5/1/2026
