କରୋନା ଯୋଗୁ ସାଗରସ୍ନାନ ଯାତ୍ରା ଫିକା ପଡିଲା
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଭାର୍ଗବୀ ନଦୀର ବଳପୁର ଓ ସୁଆଣ୍ଡୋ ଭୃଗ ଘାଟରେ ସାଗରସ୍ନାନ ବା ବାରୁଣୀ ବୁଡ ଅନୁଷ୍ଠିତ ହୋଇଯାଇଛି । ମାତ୍ର କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଜିଲ୍ଲାରେ ଅନୁଷ୍ଠିତ ସମସ୍ତ ମେଳଣ ପର୍ବ ତଥା ଯାନି ଯାତ୍ରା ଉପରେ ରୋକ ଲଗାଇଛନ୍ତି । ଏହିରୋକକୁ ଜନସାଧାରଣ ସ୍ୱାଗତ କରିଥିବାର ଦେଖାଯାଇଛି । ମେଳଣ ପଡିଆରେ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଏହାକୁ ମଧ୍ୟ ମନ୍ଦିର ପରିଚାଳନା କମିଟି ମାନି ନେଇଛି । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଛି । ମେଲଣ ପଡିଆରେ କେଯଣସି ଦେକାନ ବଜାର ଖୋଲିନାହିଁ । ବଳପୁର ଗ୍ରାମରେ ପୂଜିତ ବାଲୁଙ୍କେଶ୍ୱର ଦେବଙ୍କର ନୀତିକାନ୍ତି ସରିବା ପରେ ବରାଳ ବାଲୁଙ୍କେଶ୍ୱରଙ୍କୁ ତୀର୍ଥକୁ ଆସିବା ପାଇଁ ନିମନ୍ତ୍ରଣ କରି ସାଙ୍ଗରେ , ଘଣ୍ଟ, ଘଣ୍ଟା, କାହାଳୀ, ତୁରୀ ଛତୀ, ତ୍ରାସ, ବୈରଖ, ମଶାଲ, ବାଜା ବାଜି ବାରୁଣି ସ୍ନାନ ଅଭିମୁଖେ ଆସିଥିଲେ । ଆସିବା ବାଟରେ ବିଭିନ୍ନ ସ୍ଥାନରେ ଭୋଗ ଖାଇ ନଦୀକୂଳ ସ୍ଥିତ ତୀର୍ଥ ମଣ୍ଡପରେ ବିଜେ କରିଥିଲେ । ସେହିପରି ନଦୀର ଅପରପାଶ୍ୱର୍ରେ ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ୟାଧରପୁରର କୁଣ୍ଡେଳେଶ୍ୱର ମହାଦେବ ସୁ ସଜିତ ବିମାନ ପଟୁଆରରେ ଗ୍ରାମରୁ ବାହାରି ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ । ଚତୁଶ୍ୱମ୍ଭୁଙ୍କୁ ତୀର୍ଥର ଉଭୟପାଶ୍ୱର୍ରେ ଏକ ସଙ୍ଗେ ସେବାୟତ ମାନେ ଅଭିମନ୍ତ୍ରିତ ତୀର୍ଥ ଜଳରେ ସ୍ନାନ , ପୂଜା, ଅଳତୀ କରିବା ପରେ ଉପସ୍ଥିତ କିଛି ଭକ୍ତ ବୁଡ ପକାଇଥିଲେ । ଯେଉଁ ପରିମାଣର ଲୋକ ବୁଡ ପକାଇଥାନ୍ତେ ହାତ ଗଣତି କିଛି ଲୋକ ବୁଡ ପକାଇଥିଲେ । କରୋନାରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ମେଳଣ ଠାରୁ ବା ଜନଗହଳି ଠାରୁ ଦୁରେଇକି ରହିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


