ପିଠ ଦେବୀ ମାନଙ୍କର ଶାରଦୀୟ ଦୁର୍ଗାପୂଜା; ମଳମାସରେ ମାଙ୍କର ସ୍ୱତନ୍ତ୍ର ନୀତି
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଶାସନବାଡ ଓ ଗ୍ରାମଞ୍ଚଳରେ ଥିବା ଦେବୀ ପିଠ ଗୁଡିକରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି । ମୂଳାଷ୍ଟମୀ ତିଥିରେ ସହସ୍ରକୁମ୍ଭ ବରଣ କରାଯାଇ ଠାରୁରାଣୀଙ୍କପୂଜା ଅର୍ଚ୍ଚନା କରାଯାଉଛି । ଏହି ପୂଜାରେ ବାହ୍ମଣବରଣ କରାଯାଇଥାଏ । ପୁଜକ ପୂଜା ଶେଷ ଦିନ ପର୍ଯ୍ୟନ୍ତ ହବିଷାନ୍ନରେ ରହିଥାନ୍ତି । ପ୍ରତିଦିନ ମାଆଙ୍କ ପୀଠରେ ଦ୍ୱାର ଫିଟା, ମଙ୍ଗଳ ଆଳତି, ଅବକାଶ, ମଇଲମ, ବଲ୍ଲବ ଧୂପ କରାଯାଇଥାଏ । ଖଇ, ଉଖୁଡା,କୋରା, ପାଚିଲା କଦଳୀ, ସେଓ, କାକୁଡି, ଆଦି ଫଳ ମୂଳ ସହିତ ଚୁଡାଘଷା ବାଳଭୋଗ କରାଯାଇଥାଏ । ଅପରାହ୍ନରେ ମାଙ୍କ ପାଖରେ ଖେଚୁଡି, ଅନ୍ନ, ଡାଲି ଡାଲାମା, ମାଛ ବେସର,କ୍ଷୀରି, କାକେରା, ଏଣ୍ଡୁରୀ ସହିତ ପୋଡା ମାଛବଳି ଭୋଗ କରାଯାଇଥାଏ । ଚଳିତ ବର୍ଷ ଆଶ୍ୱିନ ମାସରେ ଏକ ଅଧିବର୍ଷ ( ମଳ ) ମାସ ପଡୁଥିବାରୁ ଏହି ପୂଜା ୪୫ ଦିନ ଧରି ଚାଲିବ ବୋଲି ଜଣାପଡିଛି । ଶୁକ୍ରବାର ଠାରୁ ମଳମାସ ଆରମ୍ଭ ହୋଇଯାଇଛି । ଆଦ୍ୟଶାସନ ବୀରରାମଚନ୍ଦ୍ରପୁରରେ ମଣିନାଗ ଦୁର୍ଗା, ଶ୍ରୀରାମଚନ୍ଦ୍ରପୁରରେ ହରଚଣ୍ଡୀ, ମହାମାୟା ସାହିରେ ମହାମାୟା, ସୁଆଣ୍ଡୋରେ ଜାଗେଶ୍ୱରୀ, ବୀରଗୋବନ୍ଦପୁରଦୁର୍ଗାଦେବୀ, ରାୟଖଣ୍ଡିରେ ଜୟଦୁର୍ଗା, ଅଳଗୁମରେ ଜାଗେଶ୍ୱରୀ, ସେହିପରି ନରେନ୍ଦ୍ରପୁର ଗ୍ରାମରେ ମା ଡୁଗୁରେଇ, ବଳପୁରରେ ପାନେଶ୍ୱରୀ , ବିଶ୍ୱନାଥପୁର, ନୂଆଗାଁ, ସମେଶ୍ୱରପୁର, ରାୟଚକ୍ରଧରପୁର ଆଦି ଗ୍ରାମରେ ଥିବା ଦେବୀପିଠ ଗୁଡିକରେ ପୂଜା ଅର୍ଚ୍ଚନା ଚାଲିଛି । ମାଙ୍କ ପୀଠରେ ଚଣ୍ଡି ପାଠ କରାଯାଉଛି । ବିଗତବର୍ଷ ଗୁଡିକରେ ଶାରଦୀୟ ଦୁର୍ଗାପୂଜା ଧୁମ ଧାମରେ କରାଯାଇଥିବା ବେଳେ ଏ ବର୍ଷ ରାଜ୍ୟରେ ମହାମାରୀ କରୋନା ଯୋଗୁ ସମସ୍ତ କାର୍ଯ୍ୟକ୍ରମ ଉପରେ ସରକାର ରୋକ ଲଗାଇଛନ୍ତି । ମାତ୍ର ପୂଜା ହେବ କିନ୍ତୁ ନିରାଡମ୍ବର ତଥା କେବଳ ମାଙ୍କ ନୀତି କାନ୍ତି କରାଯିବ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



