ଧାନ ବିଲ ଶୁଖିଲା ; କେନାଲରେ ଜଳ ଯୋଗାଣ ଦାବି
ସାକ୍ଷୀଗୋପାଳ ------ ଆଶ୍ୱିନ ମାସରେ ମୁଣ୍ଡଫଟା ଖରା । ବନ୍ୟା ପରେ ଧାନ ବିଲରେ ପାଣି ଶୁଖି ଗଲାଣି । ମାଟି ଫାଟି ଆଁ କଲାଣି । ଧାନ ଗଛ ଗୁଡିକ ଅଗ ଆଡୁ ହଳଦିଆ ପଡି ଶୁଖି ଗଲାଣି । ବିଶେଷ କରି ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର, ବଳରାମପୁରଗଡ, ପରଜାପଡା, ରାୟଖଣ୍ଡି, ମହୁରା, କେତକତପାଟଣା ଓ ବିଲିପଡା ପଞ୍ଚାୟତର ଶତାଧିକ ଗହିର ଏବେ ଶୁଖିଲା ପଡିଛି । ଏପରି ଅବସ୍ଥାରେ କେନାଲରେ ପାଣି ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି । ଅଗଷ୍ଟ ମାସରେ ପ୍ରବଳ ବୃଷ୍ଟିପାତ ହୋଇଥିଲା । ସେପ୍ଟେମ୍ବର ମାସ ଅଧା ହୋଇଗଲା ପଛେ ବର୍ଷା ନାହିଁ । ଯାହା ହେଉଛି ତାହା ସମୁଦ୍ରକୁ ଶଙ୍କେ ସଦୃଶ୍ୟ । ଏଥିପାଇଁ ଚାଷୀ ମାନେ ଚନ୍ଦନପୁର ବାଞ୍ଚ କେନାଲର ପାଣିକୁ ଚାତକ ପରି ଅନେଇ ରହିଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ୧୬ ହଜାର ହେକ୍ଟର ଧାନ ଜମିରେ ଖରିଫ ଧାନ ଚାଷ କରାଯାଇଛି ବୋଲି କୃଷି ବିଭାଗ ପକ୍ଷରୁ ସୁଚନା ମିଳିଛି । ଚାଷୀ ମାନଙ୍କୁ କୃଷି ବିଭାଗ ପକ୍ଷରୁ ଉନ୍ନତ ଧରଣର ଧାନ ବିହନ ଯୋଗାଇ ଦିଆଯାଇଛି । ଚାଷୀ ଅଧିକାରୀଙ୍କ କଥା ଅନୁସାରେ ଧାନ ବୁଣା ଓ ରୂଆ କାର୍ଯ୍ୟ ସାରିଥିଲା । ମାତ୍ର ବର୍ଷା ପାଣିରେ କିଛି ବିଲ ନଷ୍ଠ ହୋଇଥିବା ବେଳେ ବନ୍ୟା ପାଣିରେ କେତକ ଗହିର ଧାନ ଫସଲ ନଷ୍ଟ ହୋଇଯାଇଛି । ଯେଉଁ କେତକ ଗହିର ବଞ୍ଚି ରହିଛି ଏବେ ପାଣି ଆଭାବରୁ ନଷ୍ଟ ହେବାକୁ ବସିଛି ବୋଲି ଚାଷୀ ମାନେ କହନ୍ତି । ଅନ୍ୟ ପକ୍ଷେ କରୋନା ଯୋଗୁ ସରକାରଙ୍କ କୌଣସି ପଦକ୍ଷେପ ନ ଥିବାରୁ ୟୁରିଆ ଓ ପଟାସ ସାର ଆସୁନାହିଁ ବୋଲି ସତ୍ୟବାଦୀରେ କେତେକ ସାର ଦେକାନୀ ମାନେ ଚାଷୀଙ୍କୁ କହିବା ସହ ଉଚ୍ଚ ଦରରେ ବିକ୍ରୟ କରୁଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷେ ଚାଷୀ ମାନେ ଜଳକର ସରକାରଙ୍କୁ ଦେଇ ଆସୁଥବା ବେଳେ ଚାଷ ପାଇଁ ଆବଶ୍ୟକ ସମୟରେ ଜଳ ଯୋଗାଣ କରାଯାଉ ନାହିଁ । ଜଳସମ୍ପଦ ବିଭାଗର ଓ କୃଷି ବିଭାଗ ମଧ୍ୟରେ ସମନ୍ନୟ ନ ରହୁଥିବାରୁ ଚାଷୀ ମାନେ କ୍ଷତିଗସ୍ତ ହେଉଛନ୍ତି । ଚାଷୀ ଧାର କରଜ କରି ଧାନଚାଷ କରୁଥବା ବେଳେ ପାଣି ଅଭାବରୁ ଧାନ ଫସଲ କ୍ଷତି ହେଉଛି । ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କୌଣସି କ୍ଷତି ପୁରଣ ମିଳୁନାହିଁ । ଗହିର ମାନଙ୍କରେ ଖାଲୁଆ ଜମିରେ ପାଣି ରହିଥବା ବେଳେ ମଧ୍ୟମକିସମ ଓ ଢ଼ିପ ଜମି ଗୁଡିକ ଏବେ ଶୁଖିଗଲାଣି । ଏ ସମ୍ପର୍କରେ ବଳଙ୍ଗା ଜଳସମ୍ପଦ ବିଭାଗର ଉପଖଣ୍ଡ ଅଧିକାରୀ କହନ୍ତି କେନାଲରେ ପାଣି ଛଡା ଯାଇଛି । ଦୁଇରୁ ତିନିଦିନ ମଧ୍ୟରେ ପାଣି ଉକ୍ତ ଅଞ୍ଚଳରେ ପହଞ୍ଚିବ ବୋଲି କହନ୍ତି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି




