୫୮ଦିନରେ ଶେଷଦେବଙ୍କ ନ୍ୟାୟ ଯାତ୍ରା ମାଇକ୍ରୋ ଫାଇନାନ୍ସ ଚଢା ଋଣକୁ ବିରୋଧ ପାଇଁ ମହିଳାଙ୍କ ଆହ୍ୱାନ
କାକଟପୁର---- ନେତାଜୀ ଜୟନ୍ତୀରୁ ନୟାଗଡ ଓଡଗାଁରୁ ଚାଷିଙ୍କ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆରମ୍ଭ କରିଥିବା ୧୦୦ଦିନିଆ ନ୍ୟାୟ ଯାତ୍ରା ୫୮ଦିନରେ କାକଟପୁରରେ ପହଁଚିଛି । କାକଟପୁରରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ସହଯାତ୍ରୀମାନେ ପ୍ରବେଶ କଲାପରେ ଗମ୍ଭାରୀପଦା, ବରଜୀସାହି, ସୁହାଗପୁର ଓ ଲତାହରଣରେ ଚାଷିମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ସ୍ୱାଧିନତା ପରେ ଚାଷିମାନେ ସବୁଠୁ ଅଧିକ ଠକି ଯାଇଛନ୍ତି । ରାଜନେତା ଓ କର୍ମଚାରୀମାନେ ନିଜ ଦରମାକୁ ମନଇଛା ବୃଦ୍ଧିକଲା ବେଳେ ଚାଷିମାନଙ୍କ ଫସଲର ଦର କୌଣସି ପ୍ରକାରେ ବୃଦ୍ଧି କରୁନାହାଁନ୍ତି । ଦେଶରେ ଲକ୍ଷ ଲକ୍ଷ ଚାଷି ଚାଷରେ କ୍ଷତି ସହି ଆତ୍ମହତ୍ୟା କଲେ ସୁଦ୍ଧା ଏ ସବୁର ସମାଧାନ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ପ୍ରକାର ଉଦ୍ୟମ କରୁନାହାଁନ୍ତି । ଚାଷିମାନଙ୍କର ସଂଗଠନ ଓ ସଚେତନତା ଅଭାବରୁ ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉପେକ୍ଷା କରାଯାଉଛି । ସରକାରୀ କର୍ମଚାରୀଙ୍କ ଦରମା ପେନସନ୍ ହୁ ହୁ ବଢିଲା ବେଳେ ଚାଷିଙ୍କ ଧାନ ଦର ବଢୁନାହିଁ କି ଚାଷିଙ୍କ ପେନସନ ଲାଗୁ କରିବାକୁ ସରକାର ସାମାନ୍ୟ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଲତାହରଣ, ପଥରପକା ମହିଳା ଗୋଷ୍ଟିମାନଙ୍କୁ ସମ୍ବୋଧିତ କରି କହିଲେ ଯେ ମହିଳାମାନେ ଆଉ ବେଶି ଦିନ ମାଇକ୍ରୋ ଫାଇନାନ୍ସ୍ ସଂସ୍ଥା ମାନଙ୍କ ଦ୍ୱାରା ଶୋଷଣର ଶୀକାର ହେବା ଅନୁଚିତ୍ । ବ୍ୟାଙ୍କ ମାନେ ସିଧାସଳଖ ମହିଳାମାନଙ୍କୁ ଋଣ ନଦେବା ଦ୍ୱାରା ମହିଳାମାନେ ଶତକଡା ୩ଭାଗରେ ଋଣ ନ ପାଇ ଶତକଡା ୨୩ଭାଗ ସୁଧରେ ମାଇକ୍ରୋ ଫାଇନାନ୍ସକୁ ଋଣ ନେଇ ସୁଧ ଗଣୁଛନ୍ତି । ମହିଳାମାନେ ମାଇକ୍ରୋ ଫଇନାନସ୍ ସଂସ୍ଥାମାନଙ୍କୁ ବିରୋଧ କରିବାର ସମୟ ଆସିଛି । ନବନିର୍ମାଣ ଯୁବ ଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲି, ନବନିର୍ମାଣ କୃଷ ସଂଗଠନ ବ୍ଳକ ସଂଯୋଜିକା ମିନା କୁମାରୀ ସାହୁଙ୍କ ନେତୃତ୍ୱରେ ପଦଯାତ୍ରୀମାନେ ଫକିରସାହି, କଂଟାପଡା, ପାଟସ୍ୁନ୍ଦରପୁର, ପଥରପକା, ରସୁଲପୁର ଦେଇ ଲତାହରଣରେ ପହଁଚିଛନ୍ତି । ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀବାଦି ନେତା ବଂଶୀଧର ପଟ୍ଟନାୟକ, ନିରଂଜନ ପ୍ରଧାନ, ଶଶିଭୂଷଣ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ସୀତା ଗୋଚ୍ଛାୟତ, ବିଷ୍ଣୁପ୍ରିୟା ଗୋଚ୍ଛାୟତ, ବାଉରୀ ବନ୍ଧୁ ବେହେରା, ମାମିନା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି

