ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଖୁସି ଖବର;; ଏଣିକି ମହାପ୍ରସାଦ ଖାଇବେ ଆନନ୍ଦଵଜାରରେ
ପୁରୀ- ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ପାଇଁ ଖୁସି ଖବର। ଏଣିକି ମହାପ୍ରସାଦ ଖାଇବା ପାଇଁ ଭକ୍ତଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ। ପୂର୍ବପରି ଭକ୍ତମାନେ ଏଣିକି ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ଖୁବଶୀଘ୍ର ଏଭଳି ନିଷ୍ପତ୍ତି ନେବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। କେବଳ ସେତିକି ନୁହେଁ କରୋନା କଟକଣା ପାଇଁ ବାଧକ ସାଜିଥିବା ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ୍ କରିବା ପାଇଁ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ଆନନ୍ଦବଜାର ଭିତରେ ଶୃଙ୍ଖଳିତ ମହାପ୍ରସାଦ ଦୋକାନ ଓ ଶୁଖିଲା ମହାପ୍ରସାଦ ଦୋକାନ ବ୍ୟବସ୍ଥା କରାଯିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ସୁଆର ମହାସୁଆର ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଛଡା ଭକ୍ତମାନେ ଏଣିକି ସୁଲଭ ଦରରେ ଓ ଉତ୍ତମ ମାନର ମହାପ୍ରସାଦ ପାଇପାରିବେ ବୋଲି ବୈଠକରେ ସୂଚନା ମିଳିଛି। ଆଗକୁ ମହାପ୍ରସାଦର ମାନ ନିର୍ଦ୍ଧାରଣ କରାଯିବା ସହ ଆନନ୍ଦବଜାରରେ ମହାପ୍ରସାଦର ଦର ତାଲିକା ଲଗାଯିବା ପାଇଁ ବୈଠକରେ ନିଷ୍ପତି ହୋଇଛି। କିନ୍ତୁ ଆସନ୍ତା ପରିଚାଳନା କମିଟିର ବୈଠକ ଓ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଏସବୁ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ,୯/୨/୨୦୨୧----୧.୫୦




