ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଝୁଲଣ ମଣ୍ଡପରେ
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ମନ୍ଦିରରେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଝୁଲଣ ମଣ୍ଡପରେ ଝୁଲିକି ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ପ୍ରଥା ଅନୁଯାୟୀ ଶ୍ରାବଣ ଶୁକ୍ଳ ଦଶମୀ ତିଥିରୁ ୭ଦିନ ଧରି ଝୁଲଣଯାତ୍ରା ସାକ୍ଷୀଗୋପାଳ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ମନ୍ଦିରରେ ସନ୍ଧ୍ୟାଧୂପ ବେଶ ପରେ ମଦନମୋହନଙ୍କୁ ଝୁଲଣ ମଣ୍ଡପକୁ ସେବାୟତ ମାନେ ବିଜେ କରାଇଥିଲେ । ଝୁଲଣମଣ୍ଡପକୁ ମନ୍ଦିର ତରଫରୁ ଶୋଲ, ବିଭିନ୍ନ ରଙ୍ଗର ଜରି ,ଜମ୍ବୁରାରେ ନିର୍ମିତ ଶୁଆ,ଓଲଟଶୁଆ, ବଗ,ବଣି, ମୟୁର, ପାରା, କାକତୁଆ, ଶଖୀ , ମାଙ୍କଡ, ଅସୁର, ଅସୁରୁଣୀ, ରୋହିଣୀ ଯଶୋଦା, କୃଷ୍ଣ ବଳରାମ, ଭୀମ ଅର୍ଜୁନଙ୍କ ସହିତ ବିଭିନ୍ନ କିସମର ଫୁଲ ଝରା ଖଞ୍ଜା ଯାଇଛି । ଝୁଲଣ ମଣ୍ଡପକୁ ଅଧିକଆକର୍ଷଣ କରିବା ପାଇଁ ରଙ୍ଗବେରଙ୍ଗର ଉଜ୍ୱଳ ଆଲୋକରେ ସଜାଯାଇଛି । ସନ୍ଦ୍ୟାରେ ଠାକୁରଙ୍କ ପାଖରେ ଜାତଭୋଗ , ଆଳତି ପରେ ଠାକୁରଙ୍କ ସମ୍ମୁଖରେ ଗୋଟିପୁଅ ନୃତ୍ୟୁ ପରିବେଷଣ କରାଯାଇଥିଲା । ଝୁଲଣ ମଣ୍ଡପରେ ଦର୍ଶନ ପାଇଁ ଭକ୍ତ ମାନଙ୍କର ଗହଳି ଲାଗିଥିଲା । ଭକ୍ତ ମାନେ ଠାକୁରଙ୍କୁ ଝୁଲଣ ମଣ୍ଡପରେ ଝୁଲାଇଥିବାର ଦେଖାଯାଇଥିଲା । ଏ ବର୍ଷ ଝୁଲଣ ମଣ୍ଡପ ଟିକେ ଖାଲି ଖାଲି ଲାଗୁଛି । ଫାନି ବାତ୍ୟା ଯୋଗୁ ଏପରି ହୋଇଥିବା ଜଣାପଡିଛି । ଝୁଲଣ ଯାତ୍ରା ପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ ନଥିବାର ଜଣାପଡିଛି । ସେହିପରି ସତ୍ୟବାଦୀର ବରାଳର ବାଲିଙ୍କେଶ୍ୱର ମନ୍ଦିର, ସାରଙ୍ଗଯୋଡି ପତିତପାବନ, ଢ଼ୋଲ ଓ ରାୟଚକ୍ରଧରପୁର ଜଗନ୍ନାଥ ମନ୍ଦିର ସହିତ ବିଭିନ୍ନ ଗ୍ରାମରେ ଥିବା ମଠ ମୁଡିକରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର କୁମାର ସେନାପତି



