ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ପରଲୋକ
ବରଗଡ--- ବରଗଡ ଜିଲ୍ଲାର ସୋହେଲା ବ୍ଳକର ପାଣିମୋରାର ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ପରଲୋକ ହୋଇଯାଇଛି । ସେ ଶନିବାର ଦିନ ସକାଳେ ଗୁରୁତର ଅସୁସ୍ଥ ହୋଇ ବରଗଡ ସହରର ଏକ ବେସରକାରୀ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସ୍ୱାଧୀନତା ଦିବସ ପାଳନ କରିବାକୁ ମାତ୍ର ୪ ଦିନ ରହିଥିବା ବେଳେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ବରଗଡ ଜିଲ୍ଲା ହରାଇ ବସିଲା ବୋଲି ଜନସାଧାରଣରେ ଚର୍ଚ୍ଚା ହୋଉଛି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ବାସଭବନରେ ଜନଗହଳି ହୋଇ ଉଠିଥିଲା । ତାଙ୍କର ଶେଷ ଯାତ୍ରାରେ ମନ୍ତ୍ରୀ ସୁଶାନ୍ତ ସିଂ, ପୁର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଜିଲ୍ଲାପାଳ, ସମାଜସେବୀ ଡା. ଶିଶିର ସାହୁ, ଦେଶବନ୍ଧୁ ପ୍ରଧାନ, ଅଧ୍ୟାପକ ଟେକଚାନ୍ଦ ଦୁଆନ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେ ଏଥିରେ ସାମିଲ ହୋଇଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ୨୦୦୭ ମସିହାରେ ଶ୍ରୀ ନାୟକ ‘ ଚଡକ’ ସାପ୍ତାହିକ ପତ୍ରିକାକୁ ଉନ୍ମୋଚିତ କରିଥିଲେ । ବିଭିନ୍ନ ଅନୁଷ୍ଠାନ ସହିତ ସେ ଜଡିତ ରହିବା ସହ ସମ୍ମାନିତ ମଧ୍ୟ ହୋଇଥିଲେ । ଚଡକ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।
ବରଗଡରୁ ନବୀନ କୁମାର ଦାଶଙ୍କ ରିପୋର୍ଟ



