ବାପଘରୁ ମକର ଭାର ଧରି ମହାଲକ୍ଷ୍ମୀ ଆସିଲେ
ସାକ୍ଷୀଗୋପାଳ ----ରବିବାର ଦିନ ମହାଲକ୍ଷ୍ମୀ ମକରଭାର ଧରି ମନ୍ଦିରକୁ ଫେରିଛନ୍ତି । ପୁଷ ମାସରେ ବାପ ଘରକୁ ଯାଇଥିଲେ । ପରମ୍ପରା କ୍ରମେ ମାସାନ୍ତ ଅବସରରେ ପ୍ରତିବର୍ଷ ପରି ଦାଶବିଦ୍ୟାଧରପୁର ଅନ୍ତର୍ଗତ ବସନ୍ତପୁର ଗ୍ରାମରୁ ମହାଲକ୍ଷ୍ମୀଙ୍କ ମକର ଭାର ନେଇ ଆସିଥିବା ଭାରୁଆଙ୍କୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦୋଳବେଦୀ ନିକଟରୁ ପାଛୋଟି ନେଇଥିଲେ । ଘଣ୍ଟ, କାହାଳୀ, ବାଜା ବଜାଇ, ଛତି, ତ୍ରାସ, ଓ ଛାମୁ ମଶାଲ ଜଳାଇ ସେବାୟତ ମାନେ ଉକ୍ତ ଭାରୁଆଙ୍କୁ ମନ୍ଦିରକୁ ଆଣିଥିଲେ । ଅରୁଆ ·ଉଳ , ନଡିଆ, ପାଚିଲା କଦଳୀ, କମଳା, ଧନୁମୁଆଁ ଆଦି ଫଳମୁଳ ଏବଂ ଠାକୁରଙ୍କ ଲାଗିପାଇଁ ଫୁଲମାଳ ତୁଳସୀ ଆଣିଥିଲେ । କୈଳାସ ପ୍ରଧାନ ଭାରୁଆ ଭାବେର ଆସିଥିବ ବେଳେ ଦେବରାଜ ସାହୁ କୁଣିଆ ଭାବରେ ବୋଝନେଇକି ଆସିଥିଲେ । ସଂନ୍ଧ୍ୟାଧୂପ ପୂର୍ବରୁ ଠାକୁରଙ୍କ ବିଜେପ୍ରତିମା ମଦନମୋହନ ଜଗମୋହନ ଗରୁଡସ୍ତମ୍ବ ପଛରେ ବିଜେ କରିଥିଲେ । ସେଠାରେ ପନ୍ତିଭୋଗ, ଅବିର, କେତକୀଫୁଲ ଲାଗି କରାଯାଇ ଉପଚାର ଓ ଆଳତୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କ୍ଷୀର ଉତୁରା ଦୃଶ୍ୟ ଦେଖିବା ପରେ ମହାଲକ୍ଷ୍ମୀ ମନ୍ଦିରକୁ ପ୍ରବେଶ କରିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ଭାରୁଆଙ୍କୁ ଠାକୁରଙ୍କ ଭୋଗ ପ୍ରଦାନ କରାଯାଇଥିଲା । ମକରର ଆଦ୍ୟ ପର୍ବ ଉପଲକ୍ଷେ ଠାକୁରଙ୍କ ନବାଙ୍କ ବେଢ଼ା ପରିକ୍ରମା ଅନୁଷ୍ଠିତ ହୋଇଥିଲା । ରତ୍ନ ସିଂହାସନ ଚାରିପଟେ ଛଅଘେରା ଓ ବେଢ଼ାରେ ତିନିଘେରା ଏପରି ଠାକୁର ନବାଙ୍କ ପରିକ୍ରମା କରିଥିଲେ । ସେହିପରି ଭକ୍ତମାନେ ନବାଙ୍କ ବେଢ଼ା ପରିକ୍ରମାରେ ସାମିଲ ହୋଇଥିବା ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
