ରେମଣ୍ଡା ପ୍ରସିଦ୍ଧ ବଏଲ୍ ଯାତ୍ରା ଧୁମଧାମରେ ପାଳିତ ହେଲା
ବରଗଡ଼ ---ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଐତିହାସିକ ପ୍ରସିଦ୍ଧ " ବଇଲ୍ ଯାତ୍ରା " ପୁଅଜୀଉନ୍ତିଆ ଠାରୁ ଆରମ୍ଭ ହୋଇ ଦଶହରା ବଇଲ୍ ଯାତ୍ରା ପର୍ଯ୍ୟନ୍ତ ପାରମ୍ପାରିକ ରିତିକାନ୍ତିର୍ ସହ ସମ୍ପନ୍ନ ହୋଇଯାଇଛି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସମଲେଶ୍ବରୀ ମନ୍ଦିରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆଳତି ସହ ମାଙ୍କୁ ଅଭିଷେକ ଅର୍ପଣ କରାଯାଇଥାଏ। ଆସ୍ୱୀନ ମାସ ଷୋହଳ ପୂଜା ଅମାବାସ୍ୟା ତିଥିରେ ମହାଳୟା ଦିନ ମାଙ୍କର ଧବଲମୂଖୀ ବେଶକୁ ଭକ୍ତ ମାନେ ଦର୍ଶନ କରିଥାନ୍ତି । ଭାଇଜିଉଁତିଆ ପର୍ଯ୍ୟନ୍ତ ରିତିକାନ୍ତି ସହ ପୂଜାପାଠ କରାଯାଇଥାଏ। କୃଷ୍ଣ ନବମୀ ଓ ଦଶହରା ପୂର୍ଣ୍ଣମୀ ଏହି ଦୁଇଦିନ ଧରି ପ୍ରସିଦ୍ଧ ବଇଲ୍ ଯାତ୍ରା ଅନୁଷ୍ଟିତ ହୋଇଥାଏ ।ଏହି ପର୍ବରେ ସେବକ ଭାବରେ ଦେବୀଙ୍କର ପୂଜାପାଠରେ ବିଭିନ୍ନ ସମ୍ପ୍ରଦାୟର ପୂଜକ , ସେବାୟତ ନିଯୁକ୍ତ ହୋଇଥାନ୍ତି । ସେମାନଙ୍କ ମଧ୍ୟରେ କେଉଁଟ ଓ ସହଁରା ଦେହେରି ମୁଖ୍ୟ ହୋଇଥିବା ବେଳେ ବୋଦା ବଳି ପାଇଁ କାର୍ଯ୍ୟ କରିଥାନ୍ତି ।ଚଣ୍ଡୀପାଟ ପୂଜାରେ ବ୍ରହ୍ମଣ ହୋମ ଆଳତି କରିଥାନ୍ତି ।ଗ୍ରାମର କୁଳିତା ଗୌନ୍ତିଆ ହୋଇଥିବାରୁ କୁଳିତା ଘରୁ ପାଣି ଆସିଥାଏ , ମା ଗୌଡ଼ଜାତିର ଇଷ୍ଟଦେବୀ ହୋଇଥିବାରୁ ବଜାଗଜା ଧରି ଗୌରବାଡ଼ିକୁ ବରଣ କରିବା ପାଇଁ ଗୌଡ଼ଘରୁ ସମଲେଇ ବାଡ଼ି ଆସିଥାଏ ମନ୍ଦିରକୁ । ବରୁଆ ମନ୍ଦିରରୁ ବାହାରିବା ଆଗରୁ ଚମାର ଘରୁ ମାଁଙ୍କ ପିନ୍ଧିବା ପାଇଁ ପଣ୍ଢେଇ ଆସିଥାଏ । ମାଙ୍କର ସେବାରେ ବିଭିନ୍ନ ଜାତିର ଲୋକ ନିଯୁକ୍ତ ହୋଇଥାନ୍ତି । ଗ୍ରାମର ଗୌତିଆଙ୍କୁ ପାଣିଗଡୁ ସହିତ ବରଣ କରାଯାଇଥାଏ । ସମସ୍ତେ ମିଶି ମୁଖ୍ୟବରୁଆ ଝାଙ୍କର ଘରକୁ ଯାଇ ବରଣ କରନ୍ତି ।ଏହା ପରେ ବେହେରା ଘରେ ଯାଇ ପୂଜା ପାଉଥିବା ଦୁଇଟି ବଡ଼ ଟାଙ୍ଗିଆକୁ ବରଣ କରାଯାଇ ବେହେରା ନିଜେ ଏହାକୁ ଧରି ଆସିଥାନ୍ତି ମନ୍ଦିରକୁ ଓ ତାଙ୍କ ଘରୁ ମଧ୍ୟ ୧୦ ତାମ୍ବୀ ଖଇର ତିଆରି ଯୁଗାର ଓ ଗୌତିଆଁ ଘରୁ ୨୦ ତାମ୍ବୀ ଖଇର ରୁ ତିଆରି ଯୁଗାର ଆସିଥାଏ ମନ୍ଦିରକୁ ।ତେଲି ଘରୁ ତେଲ ଆସିଥାଏ ନିଆଁ ମଶାଲ ଜଳାଇବା ପାଇଁ ,ଝାଙ୍କର ବରୁଆଙ୍କ ଘରେ ଶକ୍ତି ପୀଠରେ ମାଁଙ୍କ ତ୍ରିଶୂଳକୁ ବରଣ କରି ବରୁଆ ହାତରେ ଧରି ମନ୍ଦିରକୁ ଆସନ୍ତି ।ସମଲେଶ୍ୱରୀଙ୍କ ପୂଜାବିଧି ଆଦିବାସୀ ପରମ୍ପରାର ସହ ପୂଜା ହୋଇଥାଏ ।କୃଷ୍ଣ ନବମୀ ତିଥିରେ ବିଧି ମୁତାବକ ମନ୍ଦିରରେ ଅର୍ଦ୍ଧରାତ୍ରରୁ ପୂଜା ଆରମ୍ଭ ହୋଇ ଆରଦିନ ଭୋର୍ ସକାଳୁ ବରୁଆ ଆସିଲା ପରେ ତାଙ୍କୁ ଧଳା, ଲାଲ୍ ମନ୍ଦାରଫୁଲ , ଟଗର ଫୁଲ ଓ ଅରୁଆଚାଉଳରେ ପୁଞ୍ଜିଦେଇ ଶକ୍ତି ଉପରେ ମନ୍ତ୍ରପାଠକରି ବରୁଆ ମଡ଼ା ଯାଇଥାଏ ।ବଜାଦଳ ସୋଲଭର୍ଣ୍ଣି ଓ ବିଭିନ୍ନ ପାର ବଜାଇ ମାଙ୍କୁ ଆମନ୍ତ୍ରଣ କରିଥାନ୍ତି ।ଖରଡ଼ା ଜାତି ସମ୍ପ୍ରଦାୟର ଭକ୍ତମାନେ ମାଁଙ୍କ ମାଲ୍ଲେଶ୍ରୀ ଗୀତ ଗାଇ ମାଁଙ୍କୁ ଖୁସ୍ କରିବା ପାଇଁ ଆମନ୍ତ୍ରଣ କରିଥାନ୍ତି ।ବରୁଆ ଆସିଲା ପରେ ଭକ୍ତ ମାନେ ମାନସିକ କରିଥିବା ଦ୍ରବ୍ୟ ଗୁଡିକ ଯଥା ଗୋରସ , ମନ୍ଦାର ଫୁଲ ,ଇତ୍ୟାଦି ବରୁଆଙ୍କୁ ଅର୍ପଣ କରାଯାଏ ।ବରୁଆ ପ୍ରଥମେ ଗ୍ରାମଦେବୀ ମାଁ ବାଉତିଙ୍କ ଚାରିପଟେ ଚାଚେରୀ ଖେଳନ୍ତି ତା ପରେ ଗୌତିଆଁ ଙ୍କ ଘରକୁ ଯାଇ ପୂଜା ପାଇଥାନ୍ତି । ପରେ ଆରମ୍ଭ ହୁଏ ବରୁଆ ଗ୍ରାମର ପ୍ରତ୍ୟଙ୍କ ଘରୁ ଯାଇ ନାରିକେଲ ,ଗୋରସ , କପଡ଼ା , ଫୁଲ ,ସିନ୍ଦୁର , ଚନ୍ଦନ ନୈବେଦ୍ୟ ଆଦି ଦେଇ ମାଁଙ୍କ ପାଦରେ ପାଣି ଢ଼ାଳି ପୂଜାକରି ମାଁଙ୍କ ଆଶିର୍ବାଦ ଲାଭ କରିଥାନ୍ତି । ଗ୍ରାମର ସମସ୍ତ ଘରେ ପୂଜା ପାଇସାରିଲା ପରେ ମନ୍ଦିରର ପୂର୍ବ ଦ୍ୱାର ସାମନାରେ ଚାଚେରୀ ଖେଳ ଆରମ୍ଭ ହୁଏ । ଯାତ୍ରା ସମ୍ପନ୍ନ ହେବା ସମୟରେ ମା ସମଲେଶ୍ବରୀ କି ଜୟ ଧ୍ୱନି ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଯାଠିଥାଏ। ଏବର୍ଷ ଏକ ନିଆରା ଢ଼ଙ୍ଗରେ ପ୍ରସିଦ୍ଧ ବଇଲ୍ ଯାତ୍ରା ପାଳନ କରାଯାଇଛି ।ଘଣ୍ଟ ଶଙ୍ଖ ବଜାଗଜାରେ ପରିକ୍ରମା କରି ଗାଁର ବିଭିନ୍ନ ଅନୁଷ୍ଠାନ ଓ ପଞ୍ଚାୟତର ସମସ୍ତ ଗାଁ ପାଲିରୁ ମନ୍ଦିରକୁ ସନ୍ଧ୍ୟା ଆଳତି ସମୟରେ ଯୁଗାର୍ ଆସିଥିଲା ।କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦାନ କରି ତାଙ୍କ ସହ ଶତାଧିକ ମହିଳା ଶ୍ରଦ୍ଧାଲୁ ମାଙ୍କର ଦର୍ଶନ ଲାଭ କରିଥିଲେ । ଏବର୍ଷ ନୂଆ କରି ସାପ୍ତାହିକ ବଜାର୍ ପ୍ରାଙ୍ଗଣ ଠାରେ ମିନାବଜାର୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଅଞ୍ଚଳର ହଜାର ହଜାର ଦର୍ଶକ ଓ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୯/୨୦୨୨---୯,୫୫ Sakhigopal News,11/9/2022



