ତହସିଲଦାର ଖାଇବେ ବୋଲି ରାସ୍ତାକଡ ହୋଟେଲ ଖୋଲିଲା
ପିପିଲି- ପିପିଲି ଦାନଗୋହୀରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୩ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି । ଏହାସହ ପିପିଲି ଉପରେ ଜିଲ୍ଲା ପ୍ରଶାସନ କଡା ନଜର ରଖିଛି । ସାରା ଇଲାକା ଲକ୍ ଡାଉନକୁ ଅଧିକ କଡାକଡି କରାଯାଇଛି । ଦୋକାନ ବଜାର ବନ୍ଦ କରାଯାଇଛି । ପିପିଲିରେ କୋରନା ମୁକାବିଲା ପାଇଁ ସମୁଦ୍ରକୂଳ ଥାନା ଅଧିକାରୀ ଶରତ କୁମାର ସାହୁଙ୍କୁ ପୁରୀ ଏସପି ଦାୟିତ୍ୱ ପ୍ରଦାନ କରିଛନ୍ତି । ପିପିଲିରେ କରୋନା ସଂକ୍ରମିତକୁ ରୋକିବା ପାଇଁ ଚଢ଼ାଉ ଜୋରଦାର ହେବା ସହ ଗିରଫ ସଂଖ୍ୟା ବି ବଢ଼ୁଛି । ଠିକ୍ ଏତିକି ବେଳେ ପିପିଲିରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜାତୀୟ ରାଜପଥ କଡରେ ଅନୁମତି ନ ଥାଇ ଏକ ହୋଟେଲରେ ପିପିଲି ତହସିଲଦାରଙ୍କ ପାଇଁ ବରାଦି ଖାଦ୍ୟ ପରଷା ଯାଇଥିବା ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲା ପ୍ରଶାସନ ଜାତୀୟ ରାଜପଥ କଡରେ ତେଇଶିପୁର ଓ ଗୁଡିଆପୋଖରୀରେ ଦୁଇଟି ହୋଟେଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ତହସିଲଦାର ସେଠାରେ ନଖାଇ ମଙ୍ଗଳପୁର ନିକଟ ରାସ୍ତାକଡରେ ଥିବା ହୋଟେଲ କମଲରେ ଖାଦ୍ୟ ବରାଦ ଦିଆଯିବା ସହ ନିଜେ ସଟର ଆଗ ପଟୁ ଟେକି ଭିତରେ ବସି ଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖାଲି ସେତିକି ନୁହେଁ, ତହସିଲଦାର ଓ ତାଙ୍କ ଡ୍ରାଇଭର ସେଠାରେ ଖାଇବା ସହ ପାର୍ସଲ ହୋଇଥିବା କିଛି ଖାଦ୍ୟ ପୁଡିଆ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ ।
ବଡକଥା ହେଉଛି, ଆଇନୀ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ଏହି ହୋଟେଲକୁ ଖୋଲି ରୋଷେଇ କରିବାକୁ ଅନୁମତି କିଭଳି ଦିଆଗଲା ଓ ତହସିଲଦାରଙ୍କ ଭଳି ମାଜିଷ୍ଟ୍ରେଟ କ୍ଷମତା ଉପଭୋଗ କରୁଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କାହାକୁ ଖାତିରି ନକରି ସରକାରୀ କଳର ଲକ୍ଷ୍ମଣରେଖା ପାର କରି ସେଠାକୁ ଖାଇବାକୁ ଗଲେ ତାହା ସାଧରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଆଇନି ତିଆରୀ କରୁଥିବା ବଡ ବଡିଆ ବାବୁଙ୍କୁ ଛାଡ କିନ୍ତୁ ଗାଁ ଗହଳୀରେ ସାଧରଣ ଲୋକଙ୍କ ପାଖରେ ଲାଗୁ ବୋଲି ସାଧରଣରେ ପ୍ରଶ୍ନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ-୧୯ ମହାମାରୀ ସମୟରେ ସମସ୍ତ ହୋଟେଲକୁ ବନ୍ଦ କରାଯାଇଥିବା ବେଳେ ଜଣେ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପୃକ୍ତ ହୋଟେଲ କମଲକୁ ଖୋଲିବାକୁ ଅନୁମତି ଦିଆଯିବା ଆଇନବିରୁଦ୍ଧ କି ନୁହେଁ ତାହାକୁ ନେଇ ଏବେ ସାଧାରଣରେ ତଦନ୍ତ ପାଇଁ ପ୍ରଶ୍ନ ଉଠିଛି ।





