ads

Breaking News

ବହୁ ବାଦବିବାଦ ମଧ୍ୟରେ ସରିଲା ଡେଲାଙ୍ଗ ପ୍ରେସ୍ କ୍ଲବ୍ ବୈଠକ



ଡେଲାଙ୍ଗ --- ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ବହୁ ପ୍ରତିକ୍ଷିତ ଡେଲାଙ୍ଗ ପ୍ରେସ୍ କ୍ଲବର ଏକ ଜରୁରୀ ବୈଠକ ବୁଧବାର ପୂର୍ବାହ୍ନରେ ହୁମର ଗ୍ରାମ ସ୍ଥିତ ଆରାଧ୍ୟ ଦେବୀ ମା କେନ୍ଦ୍ରେଶ୍ୱରିଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ତେବେ ଦୀର୍ଘ ଦିନ ଧରି ଡେଲାଙ୍ଗ ବ୍ଲକରେ ସ୍ଥାୟୀ ଭାବେ ଏହି ପ୍ରେସ୍ କ୍ଲବ୍ ଗଠନ କରିବା ନିମନ୍ତେ ଅନ୍ତରାୟ ସୃଷ୍ଟି କରୁଥିବା କେତେଜଣ କୁଚକ୍ରି ବ୍ୟକ୍ତି ବିଶେଷ ଙ୍କର ଘରଭଙ୍ଗା ଚାଲ୍ ଏହି ବୈଠକରେ ପଦାରେ ପଡ଼ିଯାଇଛି।କେବଳ କାଗଜ କଲମରେ  ଦୀର୍ଘ ଦିନ ଏଠାରେ ଡେଲାଙ୍ଗ ପ୍ରେସ୍ କ୍ଲବ୍ ନାମରେ ସଂଗଠନ ଚଳାଇ ନିଜ ବୃତ୍ତିର ସହକର୍ମୀ,ପ୍ରଶାସନିକ ଅଧିକାରୀ,ନିର୍ବାଚିତ ଜନପ୍ରତିନିଧି, ସର୍ବୋପରି ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା ଅହଙ୍କାରୀ ସାମ୍ବାଦିକଙ୍କ ଅସଲ ରୂପ ତଥା ମୁଖା ଖୋଲିଯାଇଛି। ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକରେ ଗୋଟିଏ ସ୍ଥାୟୀ ପ୍ରେସ୍ କ୍ଲବ୍ ଗଠନ କରିବା ପାଇଁ ଦିବଂଗତ ସାମ୍ବାଦିକ ଲକ୍ଷ୍ମୀଧର ପଣ୍ଡାଙ୍କ ଉଦ୍ୟମରେ ୨୦୧୨ମସିହାରୁ ମୂଳଦୁଆ ପଡ଼ିଥିଲେ ହେଁ କ୍ଲବର ସଭାପତି ପଦବୀକୁ ନେଇ ବିବାଦ ଉପୁଜିବାରୁ ପରବର୍ତ୍ତୀ ସମୟରେ ବିଧିବଦ୍ଧ ଭାବେ କ୍ଲବ୍ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରି ନ ଥିଲା।ତେବେ ୨୦୧୬ମସିହାରେ ଦିବଂଗତ ସାମ୍ବାଦିକ ଦୀପକ କୁମାର ମିଶ୍ରଙ୍କ  ପ୍ରଚେଷ୍ଟାରେ କ୍ଲବ୍ ଗଠନ କରିବା ପାଇଁ ଆଲୋଚନା ହୋଇଥିଲେ ହେଁ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ବିଫଳ ହୋଇଥିଲା।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,ଅଧିକାଂଶ ସାମ୍ବାଦିକ ଡେଲାଙ୍ଗ ବ୍ଲକ୍ ପାଇଁ କାର୍ଯ୍ୟକରୁଥିବା ସମସ୍ତ ପ୍ରିଣ୍ଟ,ବୈଦ୍ୟୁତିକ,ଡିଜିଟାଲ ଓ ୱେବ୍ ମିଡିଆ ପ୍ରତିନିଧିଙ୍କୁ ନେଇ କ୍ଲବ୍ ଗଠନ କରିବା ନିମନ୍ତେ ପ୍ରସ୍ତାବ ଦେଇଥିବାବେଳେ ସ୍ୱଳ୍ପ ସଂଖ୍ୟକ ସାମ୍ବାଦିକ କେବଳ ଡେଲାଙ୍ଗ ବ୍ଲକର ସ୍ଥାୟୀ ବାସିନ୍ଦାଙ୍କୁ ନେଇ କ୍ଲବ୍ ଗଠନ କରିବାକୁ ଅଜବ ପ୍ରସ୍ତାବ ତଥା ସଂକୀର୍ଣ୍ଣ ମନୋଭାବ ପୋଷଣ କରିବାରୁ ଏଥି ନେଇ ବିବାଦ ଉପୁଜିବା ସହ କ୍ଲବ୍ ଗଠନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା।ତେବେ ବୁଧବାର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ହୁମର ସ୍ଥିତ ମା କେନ୍ଦ୍ରେଶ୍ୱରିଙ୍କ  ପୀଠରେ ଡେଲାଙ୍ଗ ବ୍ଲକ୍ ପାଇଁ କାର୍ଯ୍ୟରତ ସବୁବର୍ଗର ସାମ୍ବାଦିକମାନେ ଉପସ୍ଥିତ ହୋଇ କ୍ଲବ୍ ଗଠନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଯୁବ ସାମ୍ବାଦିକ ଚନ୍ଦ୍ରଶେଖର ବିଶ୍ବାଳଙ୍କ ପ୍ରସ୍ତାବକ୍ରମେ  ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ବର୍ଷୀୟାନ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ,ଦିଲ୍ଲୀପ କୁମାର ଧାଉଡିଆ,ବିଜୟ କୁମାର ମହାପାତ୍ର,ଦିବାକର ଷଡଙ୍ଗୀ,ଗଗନ ଖାଟୋଇ,ଚିତ୍ତରଞ୍ଜନ ଜେନା,ତୁଷାର ରଞ୍ଜନ ନାୟକ,ନିରଞ୍ଜନ ନାୟକ,ପ୍ରଦୀପ ରଞ୍ଜନ ବିଶ୍ବାଳ,ରାଜକିଶୋର ବେହେରା,ପ୍ରଦୀପ ନାୟକ ଓ ସିଦ୍ଧାର୍ଥ ବଳବନ୍ତରାୟ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ବଜାୟ ରହିଲେ ସାଧାରଣ ଲୋକେ ନ୍ୟାୟ ପାଇବା ସହ ସାମ୍ବାଦିକଙ୍କ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ମାତ୍ର ବିଡ଼ମ୍ବନାର ବିଷୟ,ବର୍ଷୀୟାନ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଓ ଚିତ୍ତରଞ୍ଜନ ଜେନା କେବଳ ଡେଲାଙ୍ଗ ବ୍ଲକର ବାସିନ୍ଦାମାନଙ୍କୁ ନେଇ ଏଠାରେ ପ୍ରେସ୍ କ୍ଲବ୍ ଗଠନ କରିବାକୁ ଜିଦ୍ ଧରିବା ସହ ଅନ୍ୟମାନଙ୍କୁ ଆମନ୍ତ୍ରିତ ସଦସ୍ୟ ଭାବେ କ୍ଲବରେ ସାମିଲ୍ କରିବାକୁ ଅଜବ ପ୍ରସ୍ତାବ ଦେବାକୁ ନେଇ ବିବାଦ ଉପୁଜିଥିଲା।ଏପରିକି ଏଭଳି ପକ୍ଷପାତିତା ଓ ସଂକୀର୍ଣ୍ଣତା ମନୋଭାବ ରହିଲେ ଆମେ ଏହି କ୍ଲବରେ ଆଦୌ ସାମିଲ ହେବୁନାହିଁ ବୋଲି ସାମ୍ବାଦିକ ବିଜୟ କୁମାର ମହାପାତ୍ର,ଦିବାକର ଷଡଙ୍ଗୀ ଓ ତୁଷାର ରଞ୍ଜନ ନାୟକ ରୋକ୍ ଠୋକ୍ ପ୍ରତିବାଦ କରିଥିଲେ।ତେବେ ବୈଠକରେ ଅଧ୍ୟକ୍ଷତା କରୁଥିବା ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରି ଏଭଳି ପକ୍ଷପାତିତା ମନୋଭାବ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହା ନିନ୍ଦନୀୟ ବୋଲି ମତପ୍ରକାଶ କରିବା ସହ ଡେଲାଙ୍ଗ ବ୍ଳକ୍ ପାଇଁ କାର୍ଯ୍ୟରତ ସବୁ ବର୍ଗର ତଥା ସବୁ ଅଞ୍ଚଳର ସାମ୍ବାଦିକଙ୍କୁ ନେଇ ଏହି ପ୍ରେସ୍ କ୍ଲବ୍ ଗଠନ କରିବା ଉଚିତ୍ ହେବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ଅଧିକନ୍ତୁ ଆଗାମୀ ବୈଠକରେ କ୍ଲବର କର୍ମକର୍ତ୍ତା ମନୋନୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବାବେଳେ ପକ୍ଷପାତ ମନୋଭାବ ଓ ଅହଙ୍କାରପୂର୍ଣ୍ଣ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଉପସ୍ଥିତ ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ।ଶେଷରେ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୧୨/୨୦୨୨--୯,୧୦ Sakhigopal News,8/12/2022

ads

Blog Archive