ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୧୨ ଜଣ ଆହତ
କନ୍ଧମାଳ---- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ନିକଟସ୍ଥ ସିଅଙ୍ଗବାଲି ଛକ ନିକଟରେ ରବିବାର ବୋଲେରୋ ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କେରୁବାଡ଼ି ଗ୍ରାମର ମଙ୍ଗୁଳିଆ ନାୟକ (୪୬)। ଏହି ସଡ଼କ ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତର ମାନଙ୍କୁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟ ୭ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାସେବା ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ ଅଟୋଟି ଦାରିଙ୍ଗବାଡ଼ି ପାର୍ଶ୍ୱରୁ କେରୁବାଡ଼ି ଅଭିମୁଖେ ଯାଉଥିଲା। ବୋଲେରୋଟି ବ୍ରହ୍ମପୁର ପାର୍ଶ୍ୱରୁ ଦାରିଙ୍ଗବାଡ଼ିକୁ ଆସୁଥିଲା। ସିଅଙ୍ଗବାଲି ଛକ ନିକଟରେ ଉଭୟ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା ବୋଲି ପ୍ରତକ୍ଷ୍ୟଦର୍ଶୀମାନେ କହିଛନ୍ତି। ଖବର ପାଇ ଦାରିଙ୍ଗବାଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବୋଲେରୋ ଓ ଅଟୋ ଜବତ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା



