ବିଦ୍ୟୁତ ତାର ନଥିବାରୁ ୧୦ ହଜାର ପରିବାର ବିଦ୍ୟୁତ ସେବାରୁ ବଞ୍ଚିତ
ସାକ୍ଷୀଗୋପାଳ--- ତାର ନଥିବାରୁ ଦୁଇଟି ପଞ୍ଚାୟତର ୧୦ ହଜାର ପରିବାର ବିଦ୍ୟୁତ ସଂଯୋଗ ହୋଇ ପାରୁନାହିଁ ବୋଲି ପଞ୍ଚାୟତ ଅଧିବାସୀ ମାନେ ଅଭିଯୋଗ ଆଣିଛନ୍ତି । ସୁଚନାଯୋଗ୍ୟ ଯେ ଫାନି ବାତ୍ୟା ଯିବାର ଦୁଇମାସ ପରେ ବି ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିନରେ ଥିବା ଅନେକ ଗ୍ରାମକୁ ବିଦ୍ୟୁତ ସେବା ମିଳିନାହିଁ । ମାତ୍ର ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ପୁରୀ ଜିଲ୍ଲାରେ ବିଭିନ୍ନ ବୈଠକରେ ଯୋଗଦେଇ ବିଦ୍ୟୁତ ସେବା ଜିଲ୍ଲାର ସମସ୍ତ ଗ୍ରାମକୁ ଯୋଗାଇ ଦିଆଯାଇଛି ବୋଲି ମିଛରେ ଡିଣ୍ଡିମି ପିଟୁଛନ୍ତି । ବାସ୍ତବରେ ଅଧିକାରୀଙ୍କ କଥା ଓ ପକୃତ ଚିତ୍ର ମଧ୍ୟରେ ଅନେକ ଫରଖ ରହିଛି । ଫାନି ବାତ୍ୟା ଯିବାର ଦୁଇ ମାସ ପରେ ବି ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡରେ ଅନେକ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ ବୋଲି ଜଣାପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଳକର ଧାନକେରା ଓ ଅଭୟମୁଖୀ ଦୁଇଟି ପଞ୍ଚାୟତକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ । ଏହି ଦୁଇ ପଞ୍ଚାୟତ ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ ଅଧିନରେ ରହିଛି । ଯାହାକୁ ନେଇ ଦୁଇ ଗ୍ରାମ ପଞ୍ଚାୟତର ଅଧିବାସୀ ମାନେ ରାଜରାସ୍ତାକୁ ଓହ୍ଳାଇବାକୁ ସଜବାଜ ହୋଉଥିବା ଜଣାପଡିଛି । ଧାନକେରା ଗ୍ରାମ ପଞ୍ଚାୟତର ଆରଦା, ନଳିବସନ୍ତ, ନିମାକେରା, ହଳଦୀ ଗୋରଡା, ବୀରମକୁନ୍ଦପୁର, ନୁଆଗାଁ, ଟିକରପଡା, ମଝିପଡା, ଧାନକେରା ( ପାଞ୍ଚପଣ) , ଧାନକେରା (୧୧ପଣ) , ଶରଦାପୁର, ଦଳିତବସ୍ତି ପ୍ରାୟ ୧୬ଟି ଗ୍ରାମ ବାସୀ ମାନେ ଏବେବି ଅନ୍ଦାରରେ ରହିଛନ୍ତି । ସେହିପରି ଅଭୟମୁଖୀ ଗ୍ରାମ ପଞ୍ଚାୟତର ନଡାଖଣ୍ଡ, ଅଭୟମୁଖୀ, ପ୍ରଚଣ୍ଡପୁର, ଇନ୍ଦିପୁର ବଡସାହି ଓ ହରିଜନ ସାହି ପ୍ରାୟ ୮ଖଣ୍ଡ ଗ୍ରାମ ବାସୀ ମାନେ ଏବେ ବି ଅନ୍ଦାରରେ ରହିଛନ୍ତି । ବିଦ୍ୟୁତ କର୍ମଚାରୀ ମାନେ କହୁଛନ୍ତି ଗ୍ରାମ କୋଠରୁ ବା ପଇସା ଆଦାୟ କରି ଗାଡି ଭଡା କରି ବିଦ୍ୟୁତ ତାର ନେଲେ ବିଦ୍ୟୁତ ସଂଯୋଗ କରାଯିବ । ମାତ୍ର ଉକ୍ତ ଗ୍ରାମବାସୀ ମାନେ ଆଉ ପଇସା ଖର୍ଚ୍ଚ କରି ବିଦ୍ୟୁତ ତାର ପାଇଁ ଭୁବନେଶ୍ୱର ଯାଇ ପାରିବେ ନାହିଁ ବୋଲି ମନା କରି ଦେଇଛନ୍ତି । ଗୋଟିଏ ପକ୍ଷେ ବିଦ୍ୟୁତ ବିଭାଗ ତା ଜିଦରେ ଅଟଳ ଥିବା ଗ୍ରାମବାସୀ ମାନେ କହନ୍ତି । ହିପରି ଗ୍ରାମ ମାନଙ୍କରେ ବିଦ୍ୟୁତ ଖୁଣ୍ଠ ଅଛି ମାତ୍ର ତାର ସଂଯୋଗ ହୋଇ ପାରିନାହିଁ । ଏ ସମ୍ପର୍କରେ ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡର ଏସଡିଓଙ୍କୁ ପଚାରିବାରୁ ସେ କହନ୍ତି ମୁଁ କିଛି ଜାଣି ନାହିଁ ଜେଇଙ୍କୁ ପଚାରି କହୁଛି । ଜେଇଙ୍କୁ ପଚାରିବାରୁ ସେ କହନ୍ତି ମୁଁ କିଛି ଜାଣି ନାହିଁ ଏସଡିଓଙ୍କୁ ପଚାରନ୍ତୁ । ତୁରନ୍ତ ଉକ୍ତ ଦୁଇ ପଞ୍ଚାୟତକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ପୁରୀ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ନଜର ଦେବାକୁ ପଞ୍ଚାୟତ ଅଧିବାସୀ ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



