ଭିନ୍ନ ଏକ ବାହାଘର.. ଦୃଷ୍ଟିହୀନ ଯୁବକକୁ ସ୍ବାମୀ ରୂପେ ବାଛି ନେଲା , ଦିନମଜୁରିଆ ଝିଅ
ଭଞ୍ ନଗର - ଦୃଷ୍ଟିହୀନ ଯୁବକକୁ , ସ୍ବାମୀ ଭାବେ ବରଣ କରି ନିଆରା ଉଦାହରଣ ସୃଷ୍ଟି କଲେ ଲକ୍ଷ୍ମୀ । ଦୁଇବର୍ଷ ହେଲା ଉଭୟେ ଉଭୟଙ୍କୁ ପସନ୍ଦ କରିଥିଲେ । ବାହାଘର ସମ୍ଭବ ହେବକି ନାହିଁ , ଦ୍ବନ୍ଦରେ ରହିଥିଲେ । ଜଣେ ଜନ୍ମରୁ ଦୃଷ୍ଟିହୀନ , ଆଉଜଣେ ସବୁ ଥାଇ ବି ବେସାହାରା । ମନ ମିଶିଥିଲା କିନ୍ତୁ ସ୍ବୀକୃତି ମିଳୁନଥିଲା । ଶେଷରେ ନିଜ ଦୃଢ ଇଛାଶକ୍ତି ପାଖରେ ହାର ମାନିଲା । ପରିବାର ଲୋକେ ରାଜି ହେଲେ । କେବଳ ସେତିକି ନୁହେଁ , ବନ୍ଧୁ-ବାନ୍ଧବ ଙ୍କ ଠାରୁ ଆରମ୍ଭ କରି ଗାଁ ଲୋକେ ମଧ୍ୟ ସହଯୋଗ ର ହାତ ବଢାଇଲେ । ବୋହୁ ଡାକରା ଗଲା , ରୋଷଣୀ ହେଲା । ଗାଁ ମନ୍ଦିର ବେଢ଼ାରେ ବେଦି ବନ୍ଧା ହେଲା । ବ୍ରାହ୍ମଣ ଙ୍କ ମନ୍ତ୍ରପାଠ ସାଥିରେ ହୋମ-ନିଆଁ କୁ ସାକ୍ଷୀରଖି ହାତଗଣ୍ଠି ପଡ଼ିଲା । ଏ ହେଉଛି ଭଂଜନଗର ବ୍ଳକ ଅନ୍ତର୍ଗତ ଦୋମୁହାଣି ଗାଁ ରେ ହୋଇଥିବା ଲକ୍ଷ୍ମୀ ଗୈାଡ ଏବଂ ଜନ୍ମରୁ ଦୃଷ୍ଟିହୀନ ଯୁବକ ମିଟୁ ଗୈାଡ ଙ୍କ ବାହାଘର ।
ଅଞ୍ଚଳ ସାରା ଚହଳ ପଡ଼ିଲା , ଦୃଷ୍ଟିହୀନ ମିଟୁ ର ବାହାଘର କଥା । ଯିଏ ଶୁଣିଲା ସିଏ ଆଶ୍ଚର୍ଯ୍ୟ ହେଉଥିଲା । ଅବିଶ୍ବାସ ଲାଗୁଥିଲେ ବି , ସତରେ ପରିଣତ ହେଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବୋହୁ ହୋଇଥିବା ଲକ୍ଷ୍ମୀ କୁ ନେଇ ସମସ୍ତେ ପ୍ରଶଂସା କରିଥିଲେ । ଏଥିପାଇଁ ଯେ ଗରୀବ ଘରର ଝିଅ ଲକ୍ଷ୍ମୀ , ସକ୍ଷମ ଥାଇ ସୁଦ୍ଧା ଜଣେ ଭିନ୍ନକ୍ଷମ ଯୁବକର ହାତଧରି ସଂସାର ଗଢିବାର ନିଷ୍ପତ୍ତି ନେଲା ।
ଦୋମୁହାଣି ଗାଁ ର ମିଟୁ ଗୈାଡ । ଜନ୍ମରୁ ଦୃଷ୍ଟିହୀନ । ଉଭୟ ବାପା ସୁବାଷ ଚନ୍ଦ୍ର ଗୈାଡ ଏବଂ ମା’ ଙ୍କ ଦେହାନ୍ତ ପରେ , ବଡ଼ଭାଇ - ଭାଉଜଙ୍କ ଭରଷାରେ ଦିନ ବିତାଉଥିଲେ ମିଟୁ । ନିଜେ ସ୍ବାବଲମ୍ବୀ ହେବାକୁ ଇଛା କରି , ଘର ଆଗରେ ଛୋଟିଆ ବ୍ୟବସାୟ ଟିଏ କରିଛନ୍ତି । ଭଲ ଗୀତ ମଧ୍ୟ ଗାଆନ୍ତି । ଷ୍ଟେଜ୍ ପ୍ରୋଗ୍ରାମ ରେ ଗୀତ ଗାଇଥାନ୍ତି । ଏପରିକି ସଂଗୀତ ଶିକ୍ଷା ମଧ୍ୟ କରୁଛନ୍ତି । ଏଭଳି ସମୟରେ ପାଖ ଗାଁ ରାଇଗୋଛା ଗାଁର ଜଣେ ସମ୍ପର୍କୀୟଙ୍କ ଝିଅ ଲକ୍ଷ୍ମୀ ଗୈାଡଙ୍କ ବିଷୟରେ ଜାଣିବା ପରେ , ନିଜେ ଯାଇ ଲକ୍ଷ୍ମୀକୁ ବିବାହ ପ୍ରସ୍ତାବ ଦେଇଥିଲେ । ଲକ୍ଷ୍ମୀ ଗୈାଡ ଗରୀବ ପରିବାରର ଝିଅ , କିନ୍ତୁ ସେ ସକ୍ଷମ । ଶ୍ରମିକ ଭାବେ କାମ କରି ନିଜେ ସ୍ବାବଲମ୍ବୀ ହୋଇ ଆସିଥିଲେ । ଦୃଷ୍ଟିହୀନ ମିଟୁ ଙ୍କ ଠାରୁ ବିବାହ ପ୍ରସ୍ତାବ ପାଇ , ସେ ରାଜି ହୋଇଗଲେ । ଯାହାକୁ ସ୍ବାମୀ ଭାବେ ଗ୍ରହଣ କରିବେ , ସେ କିଛି ଦେଖିନପାରିଲେ ମଧ୍ୟ ନିଜ ଆଖି ହିଁ ତାଙ୍କପାଇଁ ଭରଷା ହେବ ବୋଲି ବିଚାର କରି ବିବାହ କରିବାକୁ ନିଷ୍ପତ୍ତି ନେଲେ ଲକ୍ଷ୍ମୀ । ଯାହା ଆଜିର ଝିଅ ମାନଙ୍କ ପାଇଁ ଏକ ବିରଳ ଉଦାହରଣ ସୃଷ୍ଟି କରିଛି । ନିକଟସ୍ଥ ରାଇଗୋଛା ଗାଁ ର ପ୍ରହଲ୍ଲାଦ ଗୈାଡ ଙ୍କ ପ୍ରଥମ ପତ୍ନୀ ଙ୍କ ଝିଅ ଲକ୍ଷ୍ମୀ ଏବଂ ଦୁଇ ପୁଅ । ଦୁଇପୁଅ ଏବଂ ପ୍ରଥମ ପତ୍ନୀ ଙ୍କ ମୃତ୍ୟୁ ପରେ ବାପା ପ୍ରହଲ୍ଲାଦ ଦ୍ବିତୀୟ ବିବାହ କଲେ । ତା' ପରଠାରୁ ଲକ୍ଷ୍ମୀ ଭାଙ୍ଗି ପଡ଼ିଲେ । ଧିରେଧିରେ ବଡ଼ ହେବାପରେ ନିଜେ ସ୍ବାବଲମ୍ବୀ ହେବାପାଇଁ ଅନ୍ୟର ମୂଲକାମ କଲେ ଲକ୍ଷ୍ମୀ । ଏତିକି ବେଳେ ଲକ୍ଷ୍ମୀଙ୍କ ବିଷୟରେ ଜାଣିବା ପରେ ବିବାହ ପ୍ରସ୍ତାବ ନେଇ ଲକ୍ଷ୍ମୀ ଙ୍କୁ ଭେଟିଲେ ନିଜେ ମିଟୁ । ଲକ୍ଷ୍ମୀ ବିବାହ ପାଇଁ ସମ୍ମତି ଦେଲେ । କିନ୍ତୁ ଜଣେ ସକ୍ଷମ ଝିଅ ଆଉଜଣେ ଭିନ୍ନକ୍ଷମ ଯୁବକକୁ ବିବାହ କରିବା କଥାକୁ ପରିବାରର କେହି ସମର୍ଥନ ଜଣାଇ ପାରୁନଥିଲେ । ଜଣେ ଦୃଷ୍ଟି ହୀନକୁ ବିବାହ କରିବା କେତେଦୂର ସମ୍ଭବ ହୋଇପାରିବ ବୋଲି ଆଶଙ୍କା କଲେ । ଶେଷରେ ଉଭୟଙ୍କ ଦୃଢ଼ ନିଷ୍ପତ୍ତି ସବୁ ସନ୍ଦେହକୁ ଦୂର କରିଦେଲା । ପରିବାର ଲୋକେ ରାଜି ହେଲେ । ଦୋମୁହାଣୀ ଗାଁ ର ଲୋକେ ଏବଂ ଭଦ୍ରବ୍ୟକ୍ତି ମାନେ ସମର୍ଥନ କଲେ । ଏବଂ ଶେଷରେ ଉଭୟଙ୍କ ବାହାଘର ମିଳିମିଶି କଲେ । ଯାହାକି ସ୍ଥାନୀୟ ଅଞ୍ଚଳରେ ଉଭୟଙ୍କ ବାହାଘରକୁ ନେଇ ଚର୍ଚ୍ଚା । ସମସ୍ତେ ଲକ୍ଷ୍ମୀ ଗୈାଡ ଙ୍କ ଉତ୍ସର୍ଗୀକୃତ ଚିନ୍ତାଧାରା କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ବର୍ତମାନ ସମୟରେ , ପୁଅ -ଝିଅ ଙ୍କ ମଧ୍ୟରେ ଭଲପାଇବା , ପ୍ରେମିକ ର ଘର ଆଗରେ ପ୍ରେମିକାର ଧାରଣା ଦେବା ଏବଂ ନିଜ ଅଧିକାର କୁ ଛଡ଼ାଇ ନେବାପାଇଁ ଗାଁ ଦାଣ୍ଡରେ ପ୍ରେମିକ - ପ୍ରେମିକା ଙ୍କ ବାହାଘର ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚିତ ହୋଇ ଆସିଛି । ସେତିକି ବେଳେ ଭିନ୍ନକ୍ଷମ ମିଟୁ ଙ୍କ ଦୃଢ଼ ଇଚ୍ଛା ଏବଂ ଲକ୍ଷ୍ମୀ ଗୈାଡ ଙ୍କ ଉତ୍ସର୍ଗୀକୃତ ତ୍ୟାଗ , ଅନ୍ଧ-ପ୍ରେମ ରେ ବୁଡ଼ ମାରୁଥିବା ପ୍ରେମିକ - ପ୍ରେମିକା ଙ୍କ ପାଇଁ ଶକ୍ତ ଚାପୁଡା ଲାଗିଛି ବୋଲି ବୁଦ୍ଧିଜୀବି ମାନେ କହନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୨/୨୦୨୩----୮,୧୦ Sakhigopal News,3/2/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୨/୨୦୨୩----୮,୧୦ Sakhigopal News,3/2/2023




