ସତ୍ୟବାଦୀ ପୋଲିସକୁ ମିଳିଲା ବଡ ସଫଳତା; ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ଛଅ ଜଣ ଗିରଫ
ସାକ୍ଷୀଗୋପାଳ ----- ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ ଉପରେ କ୍ରମାଗତ ଭାବେ ଲୁଟ ତରାଜ କରୁଥିବା ଏକ ଗ୍ୟାଙ୍ଗର ୬ଜଣ ସଦସ୍ୟଙ୍କୁ ସତ୍ୟବାଦୀ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୪ ବିଭିନ୍ନ କମ୍ପାନୀର ମୋବାଇଲି , ଦୁଇଟି ମଟରସାଇକେଲ ଓ ଗୋଟିଲ ସୁନା ମୁଦି ପୁଲିସ ଜବତ କରିବାରେ ସଫଳ ହୋଇଛି । ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ, ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରମେ ଦେବଦତ୍ତ ବରାଳ ଏସ,ଡି,ପି, ଓ ପିପିଲି ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ବଛା ବଛା ପୁଲିସ ଅଧିକାରୀ ମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା । ବିଭିନ୍ନ ସୁତ୍ରରୁ ପୁଲିସ ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଶ୍ରୀ ପାତ୍ର ସଦଳବଳେ ଅଚାନକ କଣାସ ବ୍ଳକର ଗଡିଶାଗଦା ଥାନା ଅନ୍ତର୍ଗତ ନଇକୂଳ ପାଟଣା ଗ୍ରାମର ବିପିନି ସେଠୀ, ସତ୍ୟବାଦୀ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ପ୍ରକାଶ ବରାଳ ଓରଫ ପାକୁଆ, ପଞ୍ଚୁକେରା ଗ୍ରାମର ସନ୍ଦୀପ ପ୍ରଧାନ ଓରଫ ବୁଲୁ, ନହଳା ଗ୍ରାମର ସିଦ୍ଧାନ୍ତ ମଲ୍ଲିକ ଓରଫ ରାଜାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏମାନେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଉପରେ ମଟର ସାଇକେଲରେ ଯାଉଥିବା ମହିଳା ମାନଙ୍କୁ ବିଶେଷ କରି ଟ୍ରାଗେଟ କରିଥାନ୍ତି । ସୁବିଧା ସୁଯୋଗ ଦେଖିଲେ ଭ୍ୟାନିଟ, ଚେନ, ମୋବାଇଲି ଝାମ୍ପି ନେଇ ଚମ୍ପଟ ମାରିଥାନ୍ତି । ଏହି ଲୁଟେରା ମାନେ ଲୁଟ କରିବା ପରେ ବହୁ କମ ପଇସାରେ ମୋବାଇଲି ଗୁଡିକ ବିକ୍ରୟ କରିଥାନ୍ତି । ଚୋରା ମୋବାଇଲି ଓ ସୁନାମୁଦି ରଖିବା ଅଭିଯୋଗରେ ଡିହସାହିର ଜୟନ୍ତ କୁମାର ସ୍ୱାଇଁ ଓ ଚନ୍ଦନପୁରର ଜିଜ୍ଞାନୁ କୁମାର ସାବତଙ୍କୁ ପୋଲିସ ଗିରଫ କରିଛି । ଏହା ସହିତ ଲୁଟତରାଜରେ ବ୍ୟବହାର କରୁଥିବା କଳାରଙ୍ଗର ପଲସର (୧୮୦) ଓ ଆପାଚି ମୋଟରସାଇକେଲ ପୁଲିସ ଜବତ କରିଛନ୍ତି । ଏହି ଗ୍ୟାଙ୍ଗ ସହିତ ଅନ୍ୟ କେତେକ ଗ୍ୟାଙ୍ଗ ହଁସପାଳ ଠାରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଲୁଟତରାଜ କରିଥାନ୍ତି ବୋଲି ଶ୍ରୀବରାଳ ପିପିଲି ଏସ,ଡି. ପ.ଓ ଆଜି ଏକ ପ୍ରେସମିଟରେ କହିଛନ୍ତି । ଏମାନଙ୍କୁ ରିମାଣ୍ଡରରେ ଅଣାଯାଇ ଅଧିକ ତଦନ୍ତ କରାଯିବ । ଏହି ଲୁଟତରାଜ ଗ୍ୟାଙ୍ଗର ଚାରିଜଣ ସଦସ୍ୟ ବିଭିନ୍ନ କେସରେ ସମ୍ପୁକ୍ତ ଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୮/୧/୨୦୨୧----୬,୫୫



