୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଲା ଅବକାରୀ ଗୁଇନ୍ଦା ବିଭାଗ
ବ୍ରହ୍ମପୁର----- ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି। ଉପରେ ଖାଲି ଡାଲା , ଡାଲା ତଳେ ଗୁପ୍ତ ଚାମ୍ବର ଆଉ ଚାମ୍ବର ଭିତରେ ପକେଟ ପକେଟ ଗଞ୍ଜେଇ ତାହା ବି ଫେକ୍ ଗାଡ଼ି ନମ୍ବର ସହ । ଗାଡ଼ିରେ ଲାଗିଛି ଓଡ଼ିଶା ନମ୍ବର , କାଗଜ ପତ୍ର ଯାଞ୍ଚ କଲା ବେଳକୁ ଝାଡ଼ଖଣ୍ଡ ଗାଡ଼ି । ଏଭଳି ଗୁପ୍ତ ଭାବେ ଶତାଧିକ କିଲୋ ଗଞ୍ଜେଇ ଚାଲାଣ କରୁଥିବା ଏକ ଗାଡ଼ିକୁ କାବୁ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଆଜି ସକାଳ ୯ଟା ବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଛକି ରହିଲା ଲାଞ୍ଜିପଲ୍ଲୀ ୧୬ ଜାତୀୟ ରାଜପଥ ଛକ ନିକଟରେ । ଏକ ମେକ୍ସ୍- ପିକ-ଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥଲା । ଅବକାରୀ ପୋଲିସ୍ ଯାଞ୍ଚ ବେଳେ ଅବକାରୀ ଅଧିକାରୀଙ୍କ ସହ ହୋଇଥିଲା ପାଟିତୁଣ୍ଡ ଆଉ ଶେଷରେ ମିଳିଲା ବସ୍ତା ବସ୍ତା ଗଞ୍ଜେଇ । ପଚରାଉଚରା ବେଳେ ଜଣାପଡ଼ିଥିଲା ପିକ ଅପ୍ ଗାଡ଼ିଟି ଗଜପତି ଜିଲ୍ଲା ଆର.ଉଦୟଗିରି ଅଞ୍ଚଳରୁ ଗଞ୍ଜଇ ଧରି ଯାଉଥିଲା କଟକ ଅନ୍ତର୍ଗତ ଆଠଗଡ଼ ଅଞ୍ଚଳକୁ । ସେଥିରୁ ପ୍ରାୟ ୧୭୦ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ସେହି ନିକଟରୁ ଅନ୍ୟ ଜଣେ ଲୋକଙ୍କ ଠାରୁ ଜବତ କରିଛି ୧୦କିଲୋ ଗଞ୍ଜେଇ ଅବକାରୀ ବିଭାଗ । ମୋହନା ଶିକୁଳିପଦର ଗ୍ରାମର ପ୍ରମୋଦ କୁମାର ବେହୋର , ଆର.ଉଦୟଗିରିର ନାଥନ କୁମାର ବୀର ଓ ପବିତ୍ର କୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୯ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ୬/୧୨/୨୦୨୦------୫,୩୦



