ads

Breaking News

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ପ୍ରିପେଡ ମିଟର: ଯେତିକି ଦେବ ସେତିକି ଯାଳିବ

ଓଡଗାଁ------ ମାସ ସାରା ବିଜୁଳି ବ୍ୟବହାର କରିବା ପରେ ଶେଷରେ ବିଲ୍ ପୈଠ କରୁଥିଲେ ଉପଭୋକ୍ତା । ଆଗକୁ କିନ୍ତୁ ଆଗୁଆ ପଇସା ପୈଠ କରିବାକୁ ପଡିବ, ତା ଉପରେ ବିଦ୍ୟୁତ ବ୍ୟବହାର କରି ପାରିବେ ଗ୍ରାହକ। ସେଥିପାଇଁ ମିଟର ବଦଳିପାରେ । କେବଳ ସେତିକି ନୁହେଁ, ଦିନର ବିଭିନ୍ନ ସମୟରେ ବିଜୁଳି ବ୍ୟବହାର ପାଇଁ କଂପାନି ଭିନ୍ନ ଭିନ୍ନ ଦେୟ ଆଦାୟ କରିବେ । ସବୁ ଘରକୁ ବିଜୁଳି ସଂଯୋଗ ପରେ ଏବେ ଏ କ୍ଷେତ୍ରରେ ଏଭଳି କିଛି ସଂସ୍କାର ମୂଳକ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାର ପାଗ ଭିଡିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଆଗାମୀ ଦିନରେ ବିଦ୍ୟୁତ ବ୍ୟବସ୍ଥାରେ ଯେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ, ତାହାର ସଙ୍କେତ ମିଳିଲାଣି । ବିଦ୍ୟୁତ ଶୁଳ୍କ ଅନାଦେୟ ରଖିବା ରୋଗ ଯେଭଳି ବ୍ୟାପୁଛି, ହୁକ ପକାଇ ବିଜୁଳି ଚୋରି କରିବା ମଧ୍ୟ ବନ୍ଦ ହେଉନାହିଁ। କେବଳ ସେତିକି ନୁହେଁ, ମିଟରିଂ ଓ ମାସିକ ବିଲିଂ କ୍ଷେତ୍ରରେ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି ହେଲାଣି। ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଏବେ ବଣ୍ଟନ କମ୍ପାନି ଗୁଡ଼ିକୁ ସ୍ମାର୍ଟ ପ୍ରିପେଡ୍ ମିଟର ଲଗାଇବାକୁ ଅନୁମତି ପ୍ରଦାନ କରିବାକୁ ବିଚାର କରୁଛନ୍ତି । ପ୍ରିପେଡ୍ ମୋବାଇଲ ଫୋନ ଭଳି ବିଜୁଳି ଜାଳିବା ପାଇଁ ଆଗୁଆ ପଇସା ଜମା କରିବାକୁ ପଡ଼ିବ।ଫଳରେ ବିଜୁଳି ବ୍ୟବହାର ପରେ ଗ୍ରାହକଙ୍କ ବିଲ୍ ଆଉ ବାକି ରହିବ ନାହିଁ। ଏଥିସହିତ ବଣ୍ଟନ କମ୍ପାନି ଗୁଡ଼ିକ ମଧ୍ୟ ଆଗୁଆ ପଇସା ଆଦାୟ କରିବାକୁ ସକ୍ଷମ ହେବେ। ମୁଖ୍ୟତଃ ବିଦ୍ୟୁତ୍ ବଣ୍ଟନ କମ୍ପାନି ଗୁଡ଼ିକର ଋଣ ବୋଝ ହ୍ରାସ କରିବା ଲାଗି ଉଦୟ ଯୋଜନାରେ ପ୍ରାଧାନ୍ୟ ଦିଆଯାଇଛି । ବିଜୁଳି ଚୋରିକୁ ରୋକିବା ପାଇଁ କଠୋର ନୀତି ଗ୍ରହଣ କରାଯିବ। ଅସାଧୁ ଲୋକମାନେ ଯେଭଳି ହୁକ ପକାଇ ବିଜୁଳି ଚୋରି କରି ନପାରିବେ ସେଥିପାଇଁ ବିଦ୍ୟୁତ୍ ତାର ଗୁଡ଼ିକୁ ଖୁଣ୍ଟରେ ଟଣାଯିବା ବେଳେ ସେଗୁଡ଼ିକୁ କେବୁଲ୍ ଭିତରେ ରଖାଯିବ। ବିଜୁଳି ଚୋରିକୁ ରୋକିବା ପାଇଁ ସରକାର ଅଧିକ ସ୍ବତନ୍ତ୍ର ବିଜୁଳି ଥାନା ଖୋଲିବେ। ନୂଆ ନୀତିରେ  ଯଦି ଜାଣିଶୁଣି ଲୋଡ୍ ସେଡିଂ କରାଯାଏ ବା ବିଦ୍ୟୁତ କାଟ୍ କରାଯାଏ ତାହେଲେ କମ୍ପାନି ଗୁଡ଼ିକଠାରୁ ଜରିମାନା ଆଦାୟ କରାଯିବ। ରାଜ୍ୟ ବିଦ୍ୟୁତ୍ ନିୟାମକ ଏ ନେଇ ୬ ମାସେ କିମ୍ବା ବର୍ଷେ ସମୟ କୋହଳ କରିପାରନ୍ତି ।  ସେହିଭଳି ଜରିମାନା ପରିମାଣ କେତେ ରହିବ ତାହା ମଧ୍ୟ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଦ୍ବାରା ଧାର୍ଯ୍ୟ ହେବ। ୧୫ ପ୍ରତିଶତରୁ ଅଧିକ ବଣ୍ଟନ ଜନିତ କ୍ଷତିକୁ ବଣ୍ଟନ କମ୍ପାନି ଗୁଡ଼ିକ କୌଣସି ପରିସ୍ଥିତିରେ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ ବୋଲି ଜଣାପଡିଛି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts