ads

Breaking News

ଅମୃତ ଭାରତ ଯୋଜନାରେ ସାମିଲ ହେଲା ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ, ଉତ୍ସବରେ ଯୋଗ ଦେଲେ ରାଜ୍ୟର ମହାମହିମ ରାଜ୍ୟପାଳ



ଜଟଣୀ :---
ଜଟଣୀ ସ୍ଥିତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଠାରେ ଅମୃତ ଭାରତ ଷ୍ଟେସନ ଯୋଜନା ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
ସାରା ଦେଶରେ ମୋଟ 1309 ଗୋଟି ରେଳ ଷ୍ଟେସନର ପୁନଃବିକାଶ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 508 ଟି ଷ୍ଟେସନକୁ ଚୟନ କରାଯାଇଛି |ତେବେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ 25 ଟି ରେଳ ଷ୍ଟେସନର ପୁନଃବିକାଶ କରାଯିବ |ଏହି କ୍ରମରେ ଖୋର୍ଦ୍ଧା ରୋଡ଼ ଡିଭିଜନର 11 ଟି ରେଳ ଷ୍ଟେସନର ନବୀକରଣ ପାଇଁ ଚୟନ କରାଯାଇଛି |ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ସାରା ଦେଶରେ 508 ଟି ଯାକ ରେଳ ଷ୍ଟେସନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି |ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ ଉପସ୍ଥିତିରେ ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ଭିଡିଓ କନଫରେନ୍ସ ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ର ରେଳ ଓ ବସ୍ତ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଯାର୍ଦୋଷ, କେନ୍ଦ୍ର ରେଳ କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଉପସ୍ଥିତ ଥିଲେ |ରାଜ୍ୟପାଳ ଙ୍କ ସହ ଇଷ୍ଟ କୋଷ୍ଟ ରେଲୱେ ଜି.ଏମ. ମନୋଜ ଶର୍ମା, ଜଟଣୀ ବିଧାୟକ ସୁରେଶ ରାଉତରାୟ, ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ପ୍ରମୁଖ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ଉପସ୍ଥିତ ଥିଲେ |ଏହି ଷ୍ଟେସନ ଗୁଡ଼ିକ ରେ, ନୂତନ ଷ୍ଟେସନ୍ ବିଲଡିଂ, ଷ୍ଟେସନ୍ ଫାସେଡ, ପ୍ରବେଶ ଦ୍ୱାର ପ୍ରତୀକ୍ଷାଳୟ, ପାରିପାର୍ଶ୍ଵିକ କ୍ଷେତ୍ର ଇତ୍ୟାଦିରେ ଉନ୍ନତିକରଣ ହେବା ସହ ଲିଫ୍ଟ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଆଧୁନିକ ଆସବାବପତ୍ର ସହିତ ଉନ୍ନତ ବିଶ୍ରାମଗାର, ଆଧୁନିକ ସୁବିଧା ସହିତ ପ୍ରିମିୟମ୍ ଟଏଲେଟ୍ ସୁବିଧା ଇତ୍ୟାଦି ପ୍ରଦାନ କରାଯିବ |ଦ୍ୱିତୀୟ ପର୍ଯ୍ୟାୟରେ ଡିଭିଜନର ଏକାଧିକ ରେଳ ଷ୍ଟେସନ ଗୁଡିକୁ ବିଶ୍ୱସ୍ତରୀୟ କରାଯିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ ସରିଛି |ଦେଶର ମୋଟ 508 ରେଳ ଷ୍ଟେସନ ପାଇଁ 24,470 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି |ତେବେ ଖୋର୍ଦ୍ଧା ରୋଡ଼ ଡିଭିଜନରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା 11 ଟି ଷ୍ଟେସନ ପାଇଁ 260 କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ |
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୮/୨୦୨୩-----୯,୧୦ Sakhigopal News,6/8/2023

ads

Blog Archive

Popular Posts