ଚାରିମାସ ହେଲା ଠିକାଦାର ହାଜତରେ ;ରାସ୍ତାରେ ଗୋଡି ଗଡୁଛି, ଲୋକମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି
ସାକ୍ଷୀଗୋପାଳ ------ ଚାରିମାସ ହେଲା ଜଣେ ଠିକାଦାର ଏକ କେସରେ ଗିରଫ ହୋଇ ଜେଲରେ ରହିବା ଫଳରେ କେନାଲ ରାସ୍ତା କାମ ମରାମତି ଅଧା ହୋଇ ପଡିଛି । ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଠିକାଦାର କାମ ନେଇଥିବା ସମସ୍ତ କାମ ଏବେ ବନ୍ଦ ହୋଇ ପଡି ରହିଛି । ଯାହାକି ଲୋକମାନେ ଅସୁବିଧାରେ ପଡିବା ପରେ ଅଧିକାରୀ ମାନଙ୍କୁ ବକାବନା କରିବାକୁ ପଛାଉନାହାନ୍ତି । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ଛକଠାରୁ ସାରଙ୍ଗଯୋଡି ଛକ ପର୍ଯ୍ୟନ୍ତ ପ୍ରାୟ ୧୨ଶହ ମିଟର କେନାଲ ରାସ୍ତା ସତ୍ୟବାଦୀ ଜଳ ସେଚନ ବିଭାଗ ଅଧିନରେ ରହିଛି । ଏହି ରାସ୍ତା ଉପରେ ବିଦ୍ୟାଧର ପୁର, ବଳରାମପୁର ଗଡ, ପରଜାପଡା, ରାୟଖଣ୍ଡି, ମହୁରା, କେତକିପାଟଣା, ବଳପୁର,ଦୁଗଲ ଆଦି ପଞ୍ଚାୟତର ୪୦ ଖଣ୍ଡ ଗ୍ରାମର ୩୦ ହଜାର ଲୋକମାନେ ଜିଲ୍ଲା ସଦର ମହକୁମା ସହିତ ବ୍ଳକ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି । ଏବେ ଏହି ରାସ୍ତାରେ ମଣିଷ ଯିବା କଥା ଛାଡ ପଶୁ ମଧ୍ୟ ଯିବାକୁ ଭୟ କରୁଛନ୍ତି । ରାସ୍ତାରେ ମେଣ୍ଟାଲ ଏବେ ଗଡୁଛି । ଯେଉଁମାନେ ଏହି ରାସ୍ତାରେ ପଳାଇ ଆସୁଛନ୍ତି ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ପାଇଁ ଜଳସେଚନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଅର୍ଛ ମଞ୍ଜୁର କରାଯାଇଛି । ଠିକାଦାର ମଧ୍ୟ ରାସ୍ତା କାମ ଆରମ୍ଭ କରି ଦେଇଥିଲେ । ଉକ୍ତ ରାସ୍ତାରେ ସେ ମେଣ୍ଟାଲ ପକାଇବା ପରେ କୌଣସି ଏକ କେସରେ ଗିରଫ ହୋଇ ଜେଲ ଯାଇଛନ୍ତି । ଯାହାକି କାମ ସେହିପରି ପଡି ରହିଛି ବୋଲି ଜଣାପଡିଛି । ଏ ସମ୍ପର୍କରେ ସାକ୍ଷୀଗୋପାଳ ଜଳ ସେଚନ ବିଭାଗର ଉପଖଣ୍ଡ ଅଧିକାରୀ ରଘୁନାଥ ସ୍ୱାଇଁଙ୍କୁ ପଚାରିବାରୁ ସେ କହନ୍ତି ଏହି ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ଏହି ରାସ୍ତାଟି ଟେଣ୍ଡର ହୋଇ ଠିକାଦାର କାମ କିଛି କରିଛନ୍ତି । କୌଣସି କେସରେ ଗିରଫ ହୋଇ ସେ ଜେଲ ଯିବା ପରେ ରାସ୍ତା କାମ ହୋଇ ପାରିନାହିଁ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ସେମାନେ ଯାହା ନିସ୍ପତି ନେବେ । ଆମ ହାତରେ କିଛି ନାହିଁ । ଅନ୍ୟ ପକ୍ଷେ ସ୍ଥାନୀୟ ଜନସାଧାରଣ କହନ୍ତି ଠିକାଦାର ଜେଲ ଯାଉ ଯାହା କିଛି ହେଉନା କାହିଁକି ଆମର ରାସ୍ତା ଦରକାର । ତୁରନ୍ତ ଏହି ରାସ୍ତା କାମ ଜଳସେଚନ ବିଭାଗ କରୁ ନଚେତ ଅନ୍ୟ ଠିକାଦାରଙ୍କ ମାଧ୍ୟମରେ କାମ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି । ଏ ଦିଗପ୍ରତି ଜିଲ୍ଲାପାଳ ନଜର ଦେବାକୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୨/୨୦୨୦---୯,୨୫




