ବାପଘରୁ ମକର ଭାର ଧରି ଫେରିଲେ ମହାଲକ୍ଷ୍ମୀ; ଦୁଗ୍ଧ ନବାଙ୍କ ନୀତି ପରେ ମନ୍ଦିରକୁ ପ୍ରବେଶ
ସାକ୍ଷୀଗୋପାଳ------ ପରମ୍ପରା ଅନୁଯାୟୀ ବିବାହିତ ଝିଅ ମାନେ ସେମାନଙ୍କ ବାପ ଘରକୁ ପୁଷ ମାସରେ ଯାଇଥାନ୍ତି । ସେହିପରି ମା ଲକ୍ଷ୍ମୀ ଠାକୁରାଣୀ ପୁଷ ମାସରେ ବାପ ଘରକୁ ଯାଇଥଲେ । ଶୁକ୍ରବାର ସଂଧ୍ୟାରେ ବାପଘରୁ ମକର ଭାର ଧରି ଫେରିଥିଲେ ମହାଲକ୍ଷ୍ମୀ । ମାତ୍ର ମନ୍ଦିରରେ ମା ଲକ୍ଷ୍ମୀ ଦୁଗ୍ଧ ନବାଙ୍କ ନୀତି ଦେଖିବା ପରେ ମନ୍ଦିରକୁ ପ୍ରବେଶ କରିବାର ପରମ୍ପରା ରହିଛି । ଶ୍ରୀଜିଉ ମଦନମୋଦନଙ୍କ ପହିଲି ଭୋଗରେ ଚୁଡାଘଷା, ଗହମକ୍ଷୀରି,ଭଜା, ଚୁଡାପଖାଳ ସହିତ ବିଭିନ୍ନ ଫଳମୂଳ ଭୋଗ କରାଯାଇଥିଲା । ପରେ ଦ୍ୱିପହଧୂପ କରାଯାଇ ପହଡ ପଡିଥିଲା । ପହଡ ଖୋଲିବା ପରେ ନୀତିକାନ୍ତି କରାଯିବା ପରେ ମଦନମୋହନ ଓ ଶ୍ରୀମତି ଗରୁଡ ବଖରାରେ ବିଜେ କରିଥିଲେ ।ସେଠାରେ ଦୁଗ୍ଧ ନବାଙ୍କ ନୀତି କରାଯାଇଥିଲା । ଏପରିକି ସେଠାରେ କ୍ଷୀର ଉତରାନୀତି ଅନୁଷ୍ଠିତ ହୋଇଥିଲା । କ୍ଷୀର ଉତୁରା ଦୃଶ୍ୟ ଦେଖିବା ପରେ ମହାଲକ୍ଷ୍ମୀ ମନ୍ଦିରକୁ ପ୍ରବେଶ କରିବାର ପରମ୍ପରା ରହିଛି ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ଶୁକ୍ରବାର ଦିନ ରାତିରେ ମହାଲକ୍ଷ୍ମୀ ମକରଭାର ଧରି ସାକ୍ଷୀଗୋପିନାଥଙ୍କ ମନ୍ଦିରକୁ ଫେରିଥିଲେ । ପୁଷ ମାସରେ ବାପ ଘରକୁ ଯାଇଥିଲେ । ପରମ୍ପରା କ୍ରମେ ମାସାନ୍ତ ଅବସରରେ ପ୍ରତିବର୍ଷ ପରି ଦାଶବିଦ୍ୟାଧରପୁର ଅନ୍ତର୍ଗତ ବସନ୍ତପୁର ଗ୍ରାମର ହରି ସାହୁଙ୍କ ଘରୁ ମହାଲକ୍ଷ୍ମୀଙ୍କ ଉଦ୍ଦ୍ୟେଶରେ ମକର ଭାର ନେଇ ଆସିଥିବା ଭାରୁଆଙ୍କୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦୋଳବେଦୀ ନିକଟରୁ ପାଛୋଟି ନେଇଥିଲେ । ଘଣ୍ଟ, କାହାଳୀ, ବାଜା ବଜାଇ, ଛତି, ତ୍ରାସ, ଓ ଛାମୁ ମଶାଲ ଜଳାଇ ସେବାୟତ ମାନେ ଉକ୍ତ ଭାରୁଆଙ୍କୁ ମନ୍ଦିରକୁ ଆଣିଥିଲେ । ଅରୁଆ ଚାଉଳ , ନଡିଆ, ପାଚିଲା କଦଳୀ, କମଳା, ଧନୁମୁଆଁ ଆଦି ଫଳମୁଳ ଏବଂ ଠାକୁରଙ୍କ ଲାଗିପାଇଁ ଫୁଲମାଳ ତୁଳସୀ ଆଣିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ଭାରୁଆଙ୍କୁ ଠାକୁରଙ୍କ ଭୋଗ ପ୍ରଦାନ କରାଯାଇଥିଲା । ମକରର ଆଦ୍ୟ ପର୍ବ ଉପଲକ୍ଷେ ଠାକୁରଙ୍କ ନବାଙ୍କ ବେଢ଼ା ପରିକ୍ରମା ଅନୁଷ୍ଠିତ ହୋଇଥିଲା । ରତ୍ନ ସିଂହାସନ ଚାରିପଟେ ଛଅଘେରା ଓ ବେଢ଼ାରେ ତିନିଘେରା ଏପରି ଠାକୁର ନବାଙ୍କ ପରିକ୍ରମା କରିଥିଲେ । ସେହିପରି ଭକ୍ତମାନେ ନବାଙ୍କ ବେଢ଼ା ପରିକ୍ରମାରେ ସାମିଲ ହୋଇଥିବା ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୩---୭,୧୦ Sakhigopal News , 13/1/2023



