ads

Breaking News

କରୋନା ପାଇଁ ସାଗର ସ୍ନାନ ଫିକା ପଡିଗଲା ; ଠାକୁରଙ୍କ ନୀତିକାନ୍ତ କରାଗଲା


 ସାକ୍ଷୀଗୋପାଳ -----   କରୋନା ପାଇଁ ବାରୁଣୀ ବୁଡ ତଥା ସାଗରସ୍ନାନ ଯାତ୍ରା ଫିକା ପଡିଲା । ମେଳଣ ପଡିଆରେ ଲୋକଙ୍କ ଭିଡ ହେବାକୁ ଲକ୍ଷ୍ୟ କରି  ପ୍ରଶାସନ ପକ୍ଷରୁ ମେଳଣ ପଡିଆ ବା ବୁଡ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ଯାହା ଫଳରେକି ଶ୍ରଦ୍ଧାଳୁ ମାନେ ବୁଡ ପକାଇ ପାରିନାହାନ୍ତି । ଯେଉଁ ପରିମାଣର ଗହଳି ହେବା କଥା ହାତ ଗଣତି କିଛି ଲୋକ ବା ମାନସିକ ଧାରୀ ମାନେ ବୁଡ ପକାଇଥିବାର ଦେଖାଯାଇଥିଲା । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ପୁଣ୍ୟତୋୟା ଭାର୍ଗବୀ ନଦୀର ବଳପୁର, ସୁଆଣ୍ଡୋ ସ୍ଥିତ ଭୃଗ ଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଥାନ୍ତେ । ମାତ୍ର କରୋନା ଭୂତାଣୁ ଯୋଗୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ତତ୍ୱବଧାନରେ  ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ  ଅନୁଷ୍ଠିତ ସାଗରସ୍ନାନ ମେଳଣ ପଡିଆ  ବା ବାରୁଣୀ ବୁଡ ସ୍ଥଳରେ ୧୪୪ ଧାରା ଜାରି କିରିବା ସହ ଲୋକ ମାନଙ୍କୁ ଗହଳି ନ କରିବା ପାଇଁ ବାରଣ କରାଯାଇଥିଲା ।  ଜିଲ୍ଲାପାଳ ଲାଗାଇଥିବା ରୋକ କୁ ଜନସାଧାରଣ ଓ ସେବାୟତ ମାନେ ଗ୍ରହଣ କରି ନେଇଛନ୍ତି ।  ସୁଚନାଯୋଗ୍ୟ ଯେ ପ୍ରତିବର୍ଷ ମା ଜାଗେଶ୍ୱରୀଙ୍କ ପୀଠ ଓ ଭାର୍ଗବୀ ନଦୀପଠାରେ ଶ୍ରଦ୍ଧାଳୁ ମାନେ ବୁଡ ପକାଇବା ପରେ ଓଦା ଲୁଗାରେ ପିତୃ ପୁରୁଷଙ୍କ ଉଦ୍ଦ୍ୟେଶରେ ବାଲୁକା ପିଣ୍ଡ ଅର୍ପଣ କରିଥାଆନ୍ତି  । ଏ ବର୍ଷ ଦୁତୀୟ ଲହରି କରୋନା ଯୋଗୁଁ ପୁରା ଫିକା ପଡି ଯାଇଛି । କପିଳ ସଙ୍ଗୀତାରେ ଉଲ୍ଲେଖ ରହିଛି ଯେ  ପ୍ରଭୁ ଶ୍ରୀ ରାମଚନ୍ଦ୍ର ମା ସୀତା ଓ ଲକ୍ଷ୍ମଣ ବନବାସ ସମୟରେ ଏହି ଭାର୍ଗବୀ ନଦୀର ଭୃଗୁ ଘାଟରେ ଚୈତ୍ୟ କୃଷ୍ଣପକ୍ଷ ତ୍ରୟୋଦଶୀ ବାରୁଣୀ ସ୍ନାନ ତିଥିରେ ସ୍ନାନ କରି ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଥିଲେ । ସେହିପରି ବଳପୁର, ବରାଳରେ ଶିବଲିଙ୍ଗ ସ୍ଥାପନ ଓ ଜାଗେଶ୍ୱରୀଙ୍କୁ ଘାଟରେ ପ୍ରତିଷ୍ଠା କରିଥିବାର ଲୋକମୁଖରୁ ଶୁଣିବାକୁ ମିଳେ । ଏହି ଦିନରେ ବଳପୁର ଗ୍ରାମରେ ପୂଜିତ ବାଲୁଙ୍କେଶ୍ୱର ଦେବଙ୍କର ପ୍ରତିଦିନ ନୀତିକାନ୍ତି ସରିବା ପରେ ବରାଳ ବାଲୁଙ୍କେଶ୍ୱରଙ୍କୁ ତୀର୍ଥକୁ ଆସିବା ପାଇଁ ନିମନ୍ତ୍ରଣ କରି ସାଙ୍ଗରେ , ଘଣ୍ଟ, ଘଣ୍ଟା, କାହାଳୀ, ତୁରୀ ଛତୀ, ତ୍ରାସ, ବୈରଖ, ମଶାଲ, ବାଜା ବାଜି  ବାରୁଣି ସ୍ନାନ ଅଭିମୁଖେ ଅପରାହ୍ନରେ ଆସିଥିଲେ । ଆସିବା ବାଟରେ ବିଭିନ୍ନ ସ୍ଥାନରେ ଭୋଗ ଖାଇ ନଦୀକୂଳ ସ୍ଥିତ ତୀର୍ଥ ମଣ୍ଡପରେ ବିଜେ କରିଥିଲେ । ସେହିପରି ନଦୀର ଅପରପାଶ୍ୱର୍ରେ ସୁଆଣ୍ଡୋର ଲୋକେଶ୍ୱର ଓ ବିଦ୍ୟାଧରପୁରର କୁଣ୍ଡେଳେଶ୍ୱର ମହାଦେବ ସୁ ସଜିତ ବିମାନ ପଟୁଆରରେ ଗ୍ରାମରୁ ବାହାରି ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ । ଚତୁଶ୍ୱମ୍ଭୁଙ୍କୁ ତୀର୍ଥର ଉଭୟପାଶ୍ୱର୍ରେ ଏକ ସଙ୍ଗେ ସେବାୟତ ମାନେ ଅଭିମନ୍ତ୍ରିତ ତୀର୍ଥ ଜଳରେ ସ୍ନାନ , ପୂଜା, ଅଳତୀ କରିବା ପରେ ଉପସ୍ଥିତ  କିଛି ଭକ୍ତ ବୁଡ ପକାଇବାର ନିୟମ ରହିଛି ।
ଯେଉଁ ପରିମାଣର ଲୋକ ବୁଡ ପକାଇଥାନ୍ତେ ହାତ ଗଣତି କିଛି ଲୋକ ବୁଡ ପକାଇଥିଲେ । କରୋନାରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ମେଳଣ ଠାରୁ ବା ଜନଗହଳି ଠାରୁ ଦୁରେଇକି ରହିଥିବା ଜଣାପଡିଛି । ହରିବୋଲ, ହୁଳହୁଳି, ଶିବସ୍ତୋତ୍ର, ଶିବ ପଞ୍ଚାକ୍ଷର, ଶିବ ସହସ୍ରନାମ ଆଦି କରାଯାଇଥିଲା । ନାମକୁ ମାତ୍ର କିଛି ଲୋକ ମାନସିକ ଭୋଗ ଓ ଗ୍ରାମ କୋଠ ଭୋଗ କରାଯାଇଥିଲା ।  ଅନ୍ୟ ପକ୍ଷେ ମନ୍ଦିର ଟ୍ରଷ୍ଟବୋର୍ଡର କର୍ମକତ୍ତର୍ତା ମାନେ ଠାକୁରଙ୍କ ନୀତିକାନ୍ତି ପରିଚାଳନା କରିଥିଲେ ।  ପରେ ଠାକୁର ତୀର୍ଥ ମଣ୍ଡପରୁ ବିଦାୟ ନେଇ ଗ୍ରାମରେ ଦୁଆରୀ ଭୋଗ କରାଯାଇଥିଲା ।  ସକାଳେ ଠାକୁର ବରାଳ ଗ୍ରାମ ମୁଣ୍ଡରେ ଥିବା ବିଭୁତି ବାଟିକାରେ  ରହିଥିଲେ । ସେଠାରେ  ସେହିପରି ପ୍ରଶାସନ ପକ୍ଷରୁ ରୋକ  ବା ୧୪୪ ଧାରା ଜାରି କରିବା ଯୋଗୁ ସେଠାରେ ମଧ୍ୟ କେବଳ ଠାକୁରଙ୍କ ନୀତି କାନ୍ତି କରାଯାଇଥିଲା ।
ମେଳଣ ପଡିଆରେ ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ବିଡିଓ କ୍ଷୀରୋଦ କୁମାର ବେହେରା, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଫୋସ ସହ ସେଠାରେ ଉପସ୍ଥିତ ରହିଥିଲେ । ସମସ୍ତ ସେବାୟତ ଓ ଲୋକମାନଙ୍କୁ ମୁହଁରେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୧----୧,୧୫

ads

Blog Archive