ବିବାହ ବାର୍ଷିକୀରେ ରକ୍ତଦାନ କଲେ ଦମ୍ପତି
ବରୀ- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ଗ୍ରାମପଞ୍ଚାୟତର ଇଚ୍ଛାପୁର ଗ୍ରାମର ଯୁବ ସମାଜସେବୀ ସତ୍ୟ ରଞ୍ଜନ କର ଓ ପତ୍ନୀ ଶ୍ରାବଣୀ ପଣ୍ଡା ନିଜର 8ମ ବିବାହ ବାର୍ଷିକୀ ଅବସରରେ ପ୍ରତି ବର୍ଷ ପରି ରକ୍ତଦାନ କରି ଏକ ଭିନ୍ନ ଢଙ୍ଗରେ ବିବାହ ବାର୍ଷିକ ପାଳନ କରିବା ସହିତ ଏକ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି । ନିଜର ପିଲାମାନଙ୍କ ଜନ୍ମଦିନ, ବାପା ମାଙ୍କ ଶ୍ରାଦ୍ଧ ଓ ବିବାହ ବାର୍ଷିକରେ ରକ୍ତଦାନ କରି ନିଜ ଅଂଚଳରେ ଥିବା ରକ୍ତ ଅଭାବକୁ ଦୂର କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଆଜି ଯାଜପୁର ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପହଞ୍ଚି ଦମ୍ପତିଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ଓ ଜିଲ୍ଲା କ୍ରୀଡା ଅଧିକାରୀ ଫକିରୀ ମୋହନ ଟୁଡୁ ଉପସ୍ଥିତରହି ଏହି ଦମ୍ପତିଙ୍କ ପରି ସମସ୍ତ ବ୍ୟକ୍ତି ନିଜର ଜନ୍ମଦିନ, ବିବାହ ବାର୍ଷିକୀ ଅବସରରେ ରକ୍ତଦାନ କରି ନିଜର ଖୁସି ମୂହୂର୍ତ୍ତକୁ ଏକ ଭିନ୍ନ ରୂପରେ ବାଣ୍ଟିବାକୁ ଅନୁରୋଧ କରିଥିଲେ । ପ୍ରକାଶ ଅଛି କି ପୂର୍ବରୁ ଶ୍ରୀ କର ତାଙ୍କ ସାନଭାଇଙ୍କ ବିବାହ ଉତ୍ସବରେ ରକ୍ତଦାନ ଶିବିର ନିଜ ଘରେ ଆୟୋଜନ କରୁଥିବା ବେଳେ ପ୍ରତି ତିନି ମାସରେ ଥରେ ରକ୍ତଦାନ କରିବା ସହିତ ବୃକ୍ଷରୋପଣ ଓ ବୃକ୍ଷ ଦାନକୁ ଗୁରୁତ୍ବ ଦେଇ ଆସୁଛନ୍ତି। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନାରେ ରକ୍ତଦାନ କରି ଚର୍ଚ୍ଚାକୁ ଆସିଥିଲେ । ସଟଡାଉନ, ଲକଡାଉନ ପରି ବିଭିନ୍ନ ବିପଦ ସମୟରେ ରକ୍ତଦାନ କରିବା ସହିତ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି ।
ବରୀରୁ - ଦର୍ଶନ ବେହେରା ୧୩/୧୨/୨୦୨୦----- ୭,୩୦




