ads

Breaking News

ଗୋବରା ଗ୍ରାମରେ ପିଇବା ପାଣି ସଙ୍କଟ: ହାଣ୍ଡି ମାଠିଆ ରଖି , ବିଭାଗୀୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା ସଂଘ , ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଧାରଣା


         
ଭଞ୍ଜନଗର----   ଦିନେ କି , ଦି'ଦିନ ନୁହେଁ  ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା ରେ ସନ୍ତୁଳି ହେଉଛନ୍ତି ସମୁଦାୟ ଗ୍ରାମବାସୀ । ପାନୀୟ ଜଳ ଯୋଗାଣ ପ୍ରକଳ୍ପ  ଅଚଳ । ପାଣି ଟାଙ୍କି ପାଇଁ ୬ ବର୍ଷ ପୂର୍ବରୁ ଭୂମିପୂଜା ହୋଇଥିଲା । ହେଲେ ତାହା ସେମିତି ଭୂମିରେ ହିଁ ପୋତି ହୋଇ ରହିଗଲା । ଏହାପରେ ମଧ୍ୟ ଗତ ୩ ବର୍ଷ ହେଲା , ପୁଣି ଆଉଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ଲୋକଙ୍କ ପିଇବା ପାଣି ସମସ୍ୟା ଦୂର ହେବାପାଇଁ ସଂପୃକ୍ତ ବିଭାଗ ପକ୍ଷରୁ କୁହାଗଲା । ପ୍ରସ୍ତୁତି ଓ ସର୍ବେକ୍ଷଣ ହେଲା । ଟେଣ୍ଡର ହେଲା , ତାହା ପୁଣି ନାକଚ ହେଲା । ଦିନ ପରେ ଦିନ ବିତିଲା । ବାରମ୍ବାର  ପ୍ରତିଶୃତି ମିଳିଲା , କିନ୍ତୁ ପିଇବାକୁ ପାଣି ମିଳିଲା ନାହିଁ । ଅତିଷ୍ଠ ହୋଇପଡିଲେ ଗ୍ରାମବାସୀ । ବାଧ୍ୟହୋଇ ହାଣ୍ଡି-ମାଠିଆ ଧରି ବିଭାଗୀୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ।  ଗଂଜାମ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ , ଗୋବରା ଗାଁ ର ଏ ହେଉଛି ସମସ୍ୟା । ଗୋବରା ପଞ୍ଚାୟତର ଗୋବରା ଗାଁ ଏକ ଜନବହୁଳ ଗାଁ । ଏଠି ରାସ୍ତା-ଘାଟ ଠାରୁ ଆରମ୍ଭ କରି , ଶିକ୍ଷା , ରାସ୍ତାଘାଟ ଆଲୋକୀକରଣ , ପୋଖରୀ ଓ ଲୋକଙ୍କ  ଆବଶ୍ୟକୀୟ ସୁବିଧା  ପ୍ରାୟତଃ ହୋଇପାରିଥିବା ବେଳେ , ପିଇବା ପାଣିର ସମସ୍ୟା ଦୁଃଖ ର କାରଣ ସାଜିଛି ।  ଗାଁ ରେ ନଳକୂଅ ରହିଛି , କିନ୍ତୁ କ୍ଷାରୀୟ ଜଳ ଯୋଗୁଁ ତାହା ପିଇବା ଉପଯୋଗୀ ହୋଇପାରୁନି । ଗାଁ ପୋଖରୀ ଭିତରେ ଥିବା ଗୋଟିଏ କୂଅ ଏବଂ ଗାଁ ଶେଷରେ ଥିବା ଏକ ପୁରୁଣା କୂଅର ପାଣି ହିଁ ଏକମାତ୍ର ଭରଷା । ବର୍ଷାଦିନ ହେଲେ କୂଅରେ ପାଣି ଦୂଷିତ ହୋଇ ଯାଉଛି । ପୁଣି ଖରାଦିନେ କୂଅ ସୁଖିଲା ପଡୁଛି । ଯେକୌଣସି ପ୍ରକାରେ ଗୋଳି ପାଣିକୁ ଛାଣି , ପିଇବାକୁ ପଡୁଛି ଲୋକଙ୍କୁ । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକଙ୍କ ଦ୍ବାରା , ଗତ ୨୦୧୫ ମସିହାରେ ଗୋବରା ଠାରେ , ୧୫ ଲକ୍ଷ ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା । ଲୋକଙ୍କ ବିଶ୍ବାସ ବଢିଲା , ପିଇବା ପାଣି ସମସ୍ୟାରୁ ମୁକ୍ତି ମିଳିବ । କିନ୍ତୁ ପରବର୍ତ୍ତୀ ସମୟରେ , କୈାଣସି କାରଣରୁ ତାହା ଆଉ ହେଲାନାହିଁ । ଗ୍ରୀଷ୍ମ ଓ ବର୍ଷା ଋତୁ ଆସିଲେ ପିଇବା ପାଣି ପାଇଁ ଲୋକେ ଡହକ ବିକଳ ହେଲେ । ବିଭାଗୀୟ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ଙ୍କୁ ଗୁହାରୀ ଜଣାଇଲେ ଗ୍ରାମବାସୀ । ଏହାପରେ ଭଂଜନଗର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ବିଭାଗ ପକ୍ଷରୁ , କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ ରେ , ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା । ସ୍ଥାନ ଚିହ୍ନଟ ହେଲା । କିନ୍ତୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ବିଭାଗର ଅଧିକାରୀଙ୍କ ଇଛାଶକ୍ତି ଅଭାବ ରୁ ପ୍ରସ୍ତାବିତ ପାନୀୟଜଳ ପ୍ରକଳ୍ପ ଉଭେଇ ଗଲା ବୋଲି ଗ୍ରାମବାସୀ ମାନେ କହନ୍ତି ।  ପରେ ଦିନ ଗଡି ଚାଲିଲା । କିନ୍ତୁ ପିଇବା ପାଣି ଯୋଜନା , ଅନିଶ୍ଚିତତା ଭିତରେ ଝୁଲି ରହିଲା । ଶେଷରେ ଗ୍ରାମର ମହିଳାଙ୍କ ପୁଞ୍ଜିଭୁତ ଅସନ୍ତୋଷ , ଧାରଣା ଆଡ଼କୁ ମୁହାଁଇଲା । ହାଣ୍ଡି-ମାଠିଆ ଧରି ବିଭାଗୀୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ । ଶେଷରେ ବିଭାଗୀୟ ଅଧିକାରୀ , ଆସନ୍ତା ୨୫ ତାରିଖ ସୁଧା ଜଳ ପ୍ରକଳ୍ପ କାର୍ଯ୍ୟ ଓ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ପାଇଥିବା ଏକ ଠିକା କମ୍ପାନୀ ଦ୍ଵାରା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ , ଧାରଣା ରୁ ଉଠିଥିଲେ ମହିଳା ମାନେ । ତେବେ ଏଥିପାଇଁ ପୂର୍ବରୁ ଟେଣ୍ଡର ହୋଇଥିଲେ ମଧ୍ୟ , ତାହା ବାରମ୍ବାର ରଦ୍ଦ ହେବା , ଏବଂ କାଗଜ ପତ୍ର କାର୍ଯ୍ୟ ବାରମ୍ବାର ଭୂଲ ହୋଇଥିବା ବିଭାଗୀୟ ଅଧିକାରୀ ସଫେଇ ଦେଉଥିବା ବେଳେ । ଏହାପଛରେ କଣ ରହିଛି ରହସ୍ୟ  ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ବିଭାଗୀୟ ଅଧିକାରୀ ଦେଇଥିବା ଲିଖିତ ପ୍ରତିଶ୍ରୁତି ପାଳନ ନହେଲେ ଆସନ୍ତା ଦିନରେ ଗାଁ ସମସ୍ତ ମହିଳା ସଂଘ  ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୦/୨୦୨୧----୬,୪୦
  Sakhigopal News,8/10/2021

ads

Blog Archive

Popular Posts