ଛଅମାସ ହେଲା ମନୋଜ ଯକୃତ ରୋଗରେ ପିଡିତ ହୋଇ ଶର୍ଯ୍ୟାସାୟୀ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଞ୍ଚାୟତ ଘୋରଡିଆ ଗ୍ରାମର ମନୋଜ ବଡଜେନା (୩୬) ଆଜକୁ ପ୍ରାୟ ୬ମାସ ହେଲା ଯକୃତ ଜନିତ ରୋଗରେ ପିଡିତ । ଅର୍ଥ ଅଭାବରୁ ଚିକିତ୍ସା ନ ହୋଇ ପାରି ଏବେ ଘରେ ଶର୍ଯ୍ୟାସାୟୀ ହୋଇ ପଡିଛନ୍ତି । ମନୋଜଙ୍କ ବାପା ଦୀନବନ୍ଧୁ ବିପିଏଲ୍ ତାଲିକାଭୁକ୍ତ ହୋଇଥିବା ବେଳେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କରନ୍ତି । ଦୁଇ ବର୍ଷ ତଳେ ମନୋଜ ଗୁଜୁରାଟ ରେ ଏକ କମ୍ପାନିରେ କାମକରି ରୋଜଗାର କରୁଥିଲେ । ମହାମାରୀ କରୋନା ଯୋଗୁ ଗାଁ କୁ ଫେରି ଆସିଥିଲେ । ମାତ୍ର ଦୁଃଖର ବିଷୟ ୬ମାସ ପୁର୍ବେ ମନୋଜଙ୍କ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତୀ ଘଟିଥିଲା ତେବେ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କର ଯକୃତ ଜନିତ ରୋଗ ହୋଇଥିବା ଜଣାପଡିଥିଲା । ପରିବାର ଲୋକେ ଧାର କରଜ କରି ମନୋଜଙ୍କ ଚିକିତ୍ସା ପାଇଁ ସମସ୍ତ ଉଦ୍ୟମ କରିଥିଲେ । ଅର୍ଥ ଅଭାବରୁ ପରିବାର ଲୋକମାନେ ସଠିକ୍ ଭାବେ ମନୋଜଙ୍କ ଚିକିତ୍ସା କରି ପାରୁନାହାନ୍ତି । ମନୋଜ ଏକମାତ୍ର ପରିବାରର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଏବେ ଭୋକ ଉପାସରେ କାଳତିପାତ କରୁଛନ୍ତି । ମନୋଜଙ୍କୁ କିପରି ଚିକିତ୍ସା କରାଇବେ ସେ ଚିନ୍ତାରେ ପରିବାର ଲୋକମାନେ ଭାଙ୍ଗି ପଡିଛନ୍ତି । ମନୋଜଙ୍କୁ ସରକାରୀ ସାହାର୍ଯ୍ୟରେ ଚିକିତ୍ସା ଯୋଗାଇ ଦେବାକୁ ବ୍ଳକ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ସରକାରୀ ସହାୟତା ମିଳିପାରିନାହିଁ । ମନୋଜଙ୍କୁ ତୁରନ୍ତ ସରକାରୀ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମର ପ୍ରଦୀପ ରାଉତରାୟ,ବେଣୁଧର ବଡଜେନା ପ୍ରମୁଖ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୫/୨୦୨୧---୮,୧୦



