ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କାର୍ଯ୍ୟକ୍ରମ
IIT Bhubaneswar Kendriya Vidyalaya's public offering and permanent campus groundbreaking program.
ଜଟଣୀ,--- ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଜଟଣୀ ଅରଗୁଳୁ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଆଇଆଇଟି ଭୁବନେଶ୍ୱର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କରିବା ଅବସରରେ ଏହା କହିଛନ୍ତି । ସେ କହିଛନ୍ତି ଯେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରଥମେ ଲୋକାର୍ପିତ ଶ୍ରେଣୀ ଗୃହରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ । ଏହି ବିଦ୍ୟାଳୟ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ । ପରବର୍ତୀ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱର ଯୋଗାଇଥିବା ୧୦ ଏକର ପରିମିତ ଜମିରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହେବା ପରେ ପିଲାଙ୍କ ପାଠପଢା ଏଠାକୁ ସ୍ଥାନାନ୍ତର କରାଯିବ । ଏହି ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ୨୫ କୋଟି ଖର୍ଚ୍ଚ ହେବ ଏବଂ ସ୍କୁଲର ପରିଚାଳନା ପାଇଁ ଅତିରିକ୍ତ ବାର୍ଷିକ ୪ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ସମସ୍ତ ଖର୍ଚ୍ଚ ଭାରତ ସରକାରଙ୍କ ଶିକ୍ଷା ସଂସ୍ଥା ଆଇଆଇଟି ଭୁବନେଶ୍ୱର ବହନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଏହି ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରାଯିବ । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ ଟେକ୍ନୋଲୋଜିର ବ୍ୟବହାରକୁ ଜାଣିବେ । ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଅବଦୁଲ କଲାମ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ସ୍ୱପ୍ନ ଦେଖିବେ । ଶିକ୍ଷକ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ଚଳିତବର୍ଷ ୪ ବର୍ଷୀୟା ଇଂଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ (ଆଇଟେପ)ର ପାଇଲଟ୍ ମଡ଼େଲ ଆରମ୍ଭ କରାଯିବ । ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୋଦି ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାବା ପାଇଁ ଚିନ୍ତା କରିଛନ୍ତି । ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟର ୬୬ତମ କେନ୍ଦ୍ରୀୟ ବିଦ୍ୟାଳୟ ଭାବରେ ସ୍ଥାନିତ ହେବ । ସେହିପରି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୪୫ ହଜାର ସ୍କୁଲକୁ ଭାରତ ସରକାର ସବୁ ପ୍ରକାର ସହଯୋଗର ଦାୟିତ୍ୱ ନେବେ । ବର୍ତମାନର ପିଲାମାନେ ଆମର ଭବିଷ୍ୟତ । ଏମାନଙ୍କୁ ଗଢ଼ି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ । ରାଜ୍ୟରେ ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଭୁବନେଶ୍ୱରେ ମଡର୍ଣ୍ଣ ଡ଼ିଏମ ସ୍କୁଲ, ଆଂଚଳିକ ଶିକ୍ଷା କେନ୍ଦ୍ର ଓ କୋରାପୁଟ ବିଶ୍ୱବିଦ୍ୟାଳୟ ଅଛି । ଏହାବ୍ୟତିତ ଏମ୍ସ, ନାଇଜର, କେମିକାଲ ଟେକ୍ନୋଲୋଜି, ସିଆଇଏସଆର, ଆଇସିଏଆରର ଲାବ୍ରୋଟୋରୀ, ଫୁଡ୍ ଏଣ୍ଡ୍ ମାଉଥ ଡିଜିର ଅତ୍ୟାଧୁନିକ କେନ୍ଦ୍ର, କଟକ ବିଦ୍ୟାଧରପୁରରେ ଧାନ ଗବେଷଣା କେନ୍ଦ୍ର ଅଛି । ସେହିଭଳି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ୍, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟୁର୍ ଏଣ୍ଡ୍ ଟୋରିଜମ୍ ଇନଷ୍ଟିଚ୍ୟୁଟ୍, ସ୍କିଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍, ସିପେଟ୍, କାଉନସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଭଳି ଭାରତ ସରକାରଙ୍କ ଅନୁଷ୍ଠାନକୁ ମିଶାଇ ମିଶନ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶାର ପିଲା ମାନଙ୍କୁ ବୌଦ୍ଧିକ ଜଗତରେ ଉଚ୍ଚ ସ୍ଥାନକୁ ନେବା ଆମର ସାମୂହିକ ଦାୟିତ୍ୱ ହେବା ଉଚିତ୍ । ପୂର୍ବଦୋୟରେ ଓଡ଼ିଶାର ବିକାଶ ହେଲେ ହିଁ ଭାରତର ସାମଗ୍ରିକ ବିକାଶ ହେବ । ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ଆଇଆଇଟି ଭୁବନେଶ୍ୱର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଗାମୀ ଦିନରେ ଏଠାରେ ଜାତୀୟ ଶିକ୍ଷା ନୀତି ଅନୁସାରେ ମଲଟି ଡ଼ିସପ୍ଲିନାରୀର ବ୍ୟବସ୍ଥା କରିବକୁ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ୱର କର୍ତୃପକ୍ଷଙ୍କୁ ପରମର୍ଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହଛଏଠାରେ ଇଞ୍ଜିନିୟରିଂ ପଢ଼ୁଥବା ପିଲା ଅର୍ଥନୀତି, ମ୍ୟାନେଜମେଂଟ୍, ସାଧାରଣ ବିଜ୍ଞାନ, ରସାୟନ ବିଜ୍ଞାନ ସହ ସବୁ ବିଷୟରେ ଶିକ୍ଷା ଆରୋହଣ କରନ୍ତୁ । ତେବେ ଯାଇ ଏହି ଶିକ୍ଷାନୁଷ୍ଠାନ ଅଭିନବ ପଦ୍ଧତିରେ ଗବେଷଣା ଭିତିକ ବିଦ୍ୟା ମନ୍ଦିର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରକାଶଥାଉକି, ୧୦ ଏକର ପରିମିତ ଜମିରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହେବ । ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣରେ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ । ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରାଯିବ । ରାଜ୍ୟରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆରମ୍ଭ ହେବ ଇଂଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ । ଓଡ଼ିଶା ସମେତ ସମଗ୍ର ଦେଶରେ ପ୍ରାୟ ୧୫ ହଜାର ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ । ଓଡ଼ିଶାର ପିଲା ମାନଙ୍କୁ ବୌଦ୍ଧିକ ଜଗତରେ ଉଚ୍ଚ ସ୍ଥାନକୁ ନେବା ଆମର ସାମୂହିକ ଦାୟିତ୍ୱ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୨/୬/୨୦୨୨---୫,୫୦ Sakhigopal News, 12/6/2022




