ବୀରରାମଚନ୍ଦ୍ରପୁର ଗ୍ରାମରେ ଚମ୍ପକଦ୍ୱାଦଶୀ ଅବସରରେ କାଠଚକ୍ର ପ୍ରତିଯୋଗିତା
Wooden competition on the occasion of Champakadwadashi in Birramchandrapur village.
ସାକ୍ଷୀଗେ।।ପାଳ---ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଦ୍ୟଶାସନ ବୀରରାମଚନ୍ଦ୍ରପୁର ଗ୍ରାମରେ ଚମ୍ପକ ଦ୍ୱାଦଶୀ ପର୍ବରେ ରୁକ୍ମୁଣି ବିବାହ ଓ ଶୀତଳଷଷ୍ଠୀରେ ବରକନ୍ୟା , ବାହାଘରକୁ ନିମନ୍ତ୍ରିତ ହୋଇ ଆସିଥିବା ବନ୍ଦୁବାନ୍ଧବ ଓ ଭଦ୍ରଲୋକ ସୁସଜିତ ଦୁଇଟି ରଥରେ ଠାକୁର ଠାକୁରାଣି ମାନେ ଗ୍ରାମ ପରିକ୍ରମା କରିଥିଲେ । ଗୋଟିଏ ରଥରେ ଦୁର୍ଗାମାଧବ, ଲକ୍ଷ୍ମୀନାରାୟଣ, ଦୋଳଗୋବିନ୍ଦ, ରୁକ୍ମୁଣି ରହିଥିବା ବେଳେ ଅନ୍ୟଟିରେ ଅନନ୍ତେଶ୍ୱର, ଲକ୍ଷେଶ୍ୱର, ବାଲୁଙ୍କେଶ୍ୱର ଓ ଇଶାନେଶ୍ୱର ମହାଦେବ ରହିଥାନ୍ତି । ଏହି ବିବାହଘରେ ଭଦ୍ରଲୋକ ଭାବେ ଅନନ୍ତେଶ୍ୱର ଓ ବାଲୁଙ୍କେଶ୍ୱର ରହିଥିଲେ । ଦ୍ୱାଦଶୀ ତିଥିର ସଂଧ୍ୟାରେ ବାଜା, ଘଣ୍ଟ, ଦୁର୍ଗାମେଡ, କାହାଳୀ, ମଶାଲ ଜଲାଇ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଦେବ ଦମ୍ପତି ଗ୍ରାମ ପରିକ୍ରମା କରିଥିଲେ । ପ୍ରତି ଦୁଆରରେ ଫଳମୂଳ, ଚୁଡାଘଷା, ଆମ୍ବ, ପଣସ, ସପୁରୀ ଖଇକୋରା ଆଦି ସେବକ ମାନେ ଭୋଗ କରିଥିବା ବେଳେ ଦାଣ୍ଡ ଘରେ ଘରର କର୍ତ୍ତା ଶଙ୍କୁଡି ଭୋଗ କରିଥାନ୍ତି । ଏହି ଉପଲକ୍ଷେ ଗ୍ରାମ ରେ ପ୍ରତି ପରିବାରରେ ଗହଳି ଚହଳି ଲାଗିଥିଲା । ବାହାରେ ଚାକିରି କରିଥିବା ପୁଅ, ଝିଅ ମାନେ ଘରକୁ ଆସିଥାନ୍ତି ଯାହାକି ଏକ ଭାଇଚାର ସମ୍ପର୍କ ଯୋଡି ହୋଇଥାଏ । ପ୍ରାୟତ ଘରର ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି ଏହି ଅବସରରେ ପ୍ରତି ଦୁଆର ମାନଙ୍କରେ ଝୋଟି , ଚିତା, କଳସ, ଦିପାଳୀ ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲେକମାଳାରେ ସୁସଜିତ ହୋଇଥିଲା । ୪ ଖଣ୍ଡିର ମହାଜନ ମାନେ ଓ ଗ୍ରାମର ଯୁବକ ମାନେ ଏହି ଉତ୍ସବ ପରିଚାଳନାରେ କରିଥିଲେ । ଅନ୍ୟପକ୍ଷେ ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି କାଠଚକ୍ର ବାଣ । ଚମ୍ପକ ଦ୍ୱାଦଶୀ ପର୍ବ ପରଦିନ ଅର୍ଥାତ ରବିବାର ଦିନ ଠାକୁର ମାନେ ଗ୍ରାମ ପରିକ୍ରମା କରି ଫେରିବା ସମୟରେ ଖଣ୍ଡି କୋଠ ମହାଜନ ଓ ବ୍ୟକ୍ତି ବିଶେଷ ମାନଙ୍କ ପକ୍ଷରୁ କାଠଚକ୍ର ପ୍ରଦର୍ଶୀତ କରାଯାଇଥିଲା । ଦୁଇ ଖଣ୍ଡିର ଏକ ସୀମାରେ ଏହି ଆତସବାଜି ପ୍ରଦର୍ଶିନ କରାଯାଇଥାଏ । ଏହି ବାଣ ଗୁଡିକ କାଠଗଣ୍ଡିରେ ହୋଇଥିବାରୁ ଏହାର ନାମ କାଠଚକ୍ର ହୋଇଥିବା ଜଣାପଡେ । ଦୁଇଗଣ୍ଠିରୁ ୬ ଗଣ୍ଠି ପର୍ଯ୍ୟନ୍ତ କାଠଚକ୍ର ବାଣ ତିଆରି କରାଯାଇଥାଏ । ପୁରାଣ ଶାସ୍ତ୍ର ବା ପୋଥି ଅନୁସାରେ ବାଣ ତିଆରି କରାଯାଇଥାଏ । ନିମ୍ବ ଓ ଟିଣିଆ ଗଛକୁ କାଟିବା ପରେ କାଠ ଗୁଡିକକୁ ମାପ ଅନୁଯାୟୀ କଟାଯାଇଥାଏ । ତା ପରେ ମହାରଣାକୁ ଡକାଯାଇ ଭିତର ଅଂଶକୁ ଖୋଳାଯାଇ ପମ୍ପା କରାଯିବା ପରେ ତା ମଧ୍ୟରେ ବାରୁଦ ଦିଆଯାଇଥାଏ । କାଠର ଦୁଇମୁଣ୍ଡରେ ଲୁହାର ବଳା ଲଗାଯାଇଥାଏ । ଏବଂ କଣା କରାଯାଇଥିବା କାଠଗଣ୍ଡିରେ ଏକ ମିଶ୍ରଣ ମାଟି ଦିଆଯାଇଥାଏ । ଏହି ବାଣ ତିଆରି କରିବା ପାଇଁ ପ୍ରାୟ ୧୫ ଦିନରୁ ଏକ ମାସ ଲାଗିଥାଏ । ସର୍ବନିମ୍ନ ୫ ହଜାରରୁ ୧୫ ହଜାର ଟଙ୍କା ଗୋଟିଏ ଗୋଟିଏ କାଠଚକ୍ରରେ ଖର୍ଚ୍ଚ ହୋଇଥାଏ । ଏ ବର୍ଷ କରୋନା ନିୟମ ନଥିବାରୁ ଗ୍ରାମରେ ଏକ ଭାଇଚାରା ସୃଷ୍ଟି ହୋଇଛି । ସେହିପରି ଏବର୍ଷ ୪ଖଣ୍ଡିରେ ପ୍ରାୟ ୪୦ରୁ ଅଧିକ କାଠଚକ୍ର କରାଯାଇଥିବା ଜଣାପଡିଛି । ଠାକୁରଙ୍କ ଠାରୁ ଆଜ୍ଞା ମାଳ ଅଣାଯିବା ପରେ ବାଣ କାଠଦଣ୍ଡରେ ଥୁଆହୋଇଥାଏ । କାଠଚକ୍ରରେ ନିଆଁ ଲଗାଗଲା ପରେ ଏହା ବିରାଟଶଦ୍ଧ କରି ଏକ କାଠଦଣ୍ଡ ଅଗ୍ର ଭାଗରେ ଲାଗିଥିବା ଲୁହା ଦଣ୍ଡରେ ବୁଲିଥାଏ । ଏହା ବୁଲିବା ସମୟରେ ଘୁ ଘୁ ଶଦ୍ଧ କରିବା ସହ କେବଳ ଧୁଆଁ ଦେଖାଯାଏ । ବାଣଟି ଯଦି ସଫଳ ଭାବରେ ବୁଲିଥାଏ ତାହେଲେ ସେହି ଖଣ୍ଡିର ଯୁବକ ମାନେ ଆନନ୍ଦ ଉଲ୍ଲାସରେ ଗାମୁଛା ହଲାଇ ଅନ୍ୟ ଖଣ୍ଡି ବାଲାଙ୍କୁ ବାଣ ମାରିବା ପାଇଁ ଉତ୍ସାହିତ କରିଥାନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବାଣ ପ୍ରଦର୍ଶୀତ ହୋଇଥିଲା । ଏହି ଅବସରରେ ବୀରରାମଚନ୍ଦ୍ରପୁର ଗ୍ରାମଟି ଉତ୍ସବ ମୁଖର ହୋଇପଡିଥିଲା । ଗ୍ରାମ ଦାଣ୍ଡରେ ବିଭିନ୍ନ ଉଠା ଦେକାନୀ ମାନେ ସେମାନଙ୍କର ବେପାର କରିବା ପାଇଁ ପସରା ଖୋଲିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୬/୨୦୨୨---୫.୩୦ Sakhigopal News, 12/6/2022




