ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା
International Level Crossing Awareness by Khordha Road Zone.
ଜଟଣୀ --ରେଳ ଫାଟକ ପାର ହେବା ସମୟରେ କେତକ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ୯ ଜୁନରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ (ILCAD) ପାଳନ କରାଯାଇ ଯାହାକି ଏକ ବିଶ୍ୱବ୍ୟାପୀ ପଦକ୍ଷେପ । ତେଣୁ ଲେଭେଲ କ୍ରସିଙ୍ଗଠାରେ ଦୁର୍ଘଟଣାକୁ ଏଡ଼ାଇବା ଏବଂ ସଡ଼କ ବ୍ୟବହାରକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳନ କରିଛି । କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ, ଅରଗୁଳ ପାସେଞ୍ଜର ହଲ୍ଟ ନିକଟ ଲେଭେଲ କ୍ରସିଙ୍ଗ ଗେଟ ସଂଖ୍ୟା-୨୦୨ ଠାରେ ଜନସାଧାରଣଙ୍କ ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସଚେତନତା ପାଇଁ ଲେଭେଲ କ୍ରସିଙ୍ଗ ଗେଟଠାରେ ସୁରକ୍ଷା ସତର୍କତା ପାଇଁ ଜନ ପରାମର୍ଶ, ଲିଫ୍ଲେଟ ବଣ୍ଟନ, ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ଏବଂ ସ୍ଲୋଗାନ ଇତ୍ୟାଦି ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ସିଭିଲ ଡିଫେନ୍ସ ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ଏକ ପ୍ରଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା ।
ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ସାଧାରଣ ଜନତାଙ୍କୁ ଅନୁରୋଧ କରି କହିଥିଲେ ଯେ, ସମସ୍ତଙ୍କ ଜୀବନ ଅମୂଲ୍ୟ ଏବଂ ଲେଭେଲ କ୍ରସିଙ୍ଗ ଫାଟକ ଅତିକ୍ରମ କରୁଥିବା ବେଳେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଟ୍ରେନ ଫାଟକ ଅତିକ୍ରମ କରିବା ପାଇଁ ମାତ୍ର କିଛି ସେକେଣ୍ଡ ସମୟ ନେଇଥାଏ, ତେଣୁ ଫାଟକ ବନ୍ଧ ଥିବା ସମୟରେ ଜନସାଧାରଣ ଧୈର୍ଯ୍ୟ ରଖନ୍ତୁ ଏକ ରେଳ ଟ୍ରାକ ଅତିକ୍ରମ କରନ୍ତୁ ନାହିଁ । ଏହି କାର୍ଯ୍ୟକ୍ରମରେ ପୂର୍ବ ତଟ ରେଳପଥର ଉପ ମୁଖ୍ୟ ନିରାପତ୍ତା ଅଧିକାରୀ (ଇଞ୍ଜିନିୟରିଙ୍ଗ) ଶ୍ରୀ ଏସ୍. ସି. ନାୟକ ଏବଂ ଉପ ମୁଖ୍ୟ ନିରାପତ୍ତା ଅଧିକାରୀ (ଇଲେକ୍ଟ୍ରିକାଲ) ଶ୍ରୀ ଏସ୍. କେ. ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଖୋର୍ଦ୍ଧା ରୋଡ଼ ମଣ୍ଡଳର ସିଭିଲ ଡିଫେନ୍ସ ଅଧିକାରୀମାନଙ୍କ ସହଯୋଗରେ ମଣ୍ଡଳର ବିଭିନ୍ନ ଲେଭେଲ କ୍ରସିଙ୍ଗ ଫାଟକଗୁଡ଼ିକ ଠାରେ ୨୬ ମଇ ୨୦୨୨ ଠାରୁ ୦୯ ଜୁନ ୨୦୨୨ ପର୍ଯ୍ୟନ୍ତ "ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା କାର୍ଯ୍ୟକ୍ରମ' ଆୟୋଜନ କରାଯାଇଛି । ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସର ସମସ୍ତ କାର୍ଯ୍ୟକ୍ରମ ଶ୍ରୀ ଏମ୍. ଏନ୍. ଏସ୍. ରମେଶ, ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ, ଖୋର୍ଦ୍ଧା ରୋଡ଼ଙ୍କ ତତ୍ତ୍ୱାବଧାନରେ ସଂଗଠିତ ହୋଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୬/୨୦୨୨-----୬,୫୦ Sakhigopal News,10/2/2022




