ସହର ତଳି ଅଞ୍ଚଳରୁ ଲୋପ ପାଉଛି ଚାଷଜମି, ବଢୁଛି କଂକ୍ରିଟ ଜଙ୍ଗଲ
ଜଟଣୀ : ରାଜଧାନୀ ଭୁବନେଶ୍ୱରର କାୟା ବୃଦ୍ଧି ପାଇବା ଫଳରେ ଏହାର ପ୍ରଭାବ ପଡିଛି ଜଟଣୀ ସହର ସହିତ ଆଖପାଖ ଅଞ୍ଚଳରେ l ଫଳତଃ ଜଟଣୀ ସହରର ତଳି ଅଞ୍ଚଳରେ ଦିନକୁ ଦିନ ଚାଷ ଜମି କମୁଥିବା ବେଳେ ବିଲ ପୋତାଯାଇ ପ୍ଳଟିଂ କରାଯିବା ସହିତ କଂକ୍ରିଟ ଜଙ୍ଗଲ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି l ଆଶ୍ଚର୍ଯ୍ୟାନିତ ଭାବେ ଚାଷ ଜମିରେ ରାସ୍ତା ନିର୍ମାଣ କରାଯାଇ ପ୍ଳଟିଂ ବେପାର ହେବା ଦ୍ୱାରା ଚାଷ ଜମି ହ୍ରାସ ପାଇ ବଡ଼ ବଡ଼ ଅଟ୍ଟାଳିକା ମାନ ପୂର୍ବରୁ ଥିବା ଧାନ କ୍ଷେତରେ ଏବେ ଛିଡା ହେଉଛି l ଭୁବନେଶ୍ୱର ଉର୍ଣ୍ଣୟନ ପରିଷଦ (ବିଡିଏ ) ଅଧୀନରେ 556 ଟି ରାଜସ୍ବ ଗ୍ରାମ ରହିଥିବା ବେଳେ ତନ୍ମଧ୍ୟରେ ଜଟଣୀ ସବରେଜିଷ୍ଟର କାର୍ଯ୍ୟାଳୟ ଅଧୀନରେ ମଧ୍ୟ କିଛି ରାଜସ୍ବ ଗ୍ରାମ ରହିଅଛି l ବିଡିଏ ଅଞ୍ଚଳରେ ପ୍ଲଟିଂ କରିବାକୁ ବା ଘରକରିବାକୁ ହେଲେ ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଲୋଡା।ଘର ନିକଟକୁ ଦମକଳ, ଜରୁରୀ ରୋଗୀବୁହା ଯାନ (ଆମ୍ବୁଲାନ୍ସ)ଯିବାକୁ ବାଟ ସହ ଜଳ ନିଷ୍କାସନପାଇଁ ବ୍ୟବସ୍ଥା ଥିବା ଜରୁରୀ। କେତେକ ସ୍ଥଳେ ଏଥ୍ ପ୍ରତି ଗୁରୁତ୍ୱ ଦିଆନଯାଇ ଘର ଦ୍ବାରା ନିର୍ମାଣ ହେଉଥିବା ଅଭିଯୋଗ ହେଉଛି।ବଡବଡ ପ୍ଲଟିଂ ବେପାରୀ ମୋଟା ଅଙ୍କରେ ଅର୍ଥଦେଇ ରାସ୍ତା ପାର୍ଶ୍ଵଜମିକୁ କିଣି ନେଉଛନ୍ତି। ପରବର୍ତ୍ତି ସମୟରେ ରାସ୍ତା ପାର୍ଶ୍ଵ ଜମି ତଳେଥିବା ଅନ୍ୟ ଜମିକୁ ପାଣି ଯାଉନି କି ଚାଷ କାର୍ଯ୍ୟରେ ବ୍ୟବହୃତ ପାୱାରଟିଲର, ଟ୍ରାକ୍ଟର ଆଦି ଯାଇପାରୁନି । ଯାହାଫଳରେ ଉକ୍ତ ଜମି ମାଲିକମାନେ ସେମାନଙ୍କ ଜମିକୁ ବିଲଡର ସଂସ୍ଥାକୁ ଶାଗମାଛ ଦରରେ ବିକିବାକୁ ବାଧ୍ୟହେଉଛନ୍ତି। କିଛିଦିନ ତଳେ ଷଣ୍ଢପୁର ମୌଜାରେ "ମେଟ୍ରୋ କିଙ୍ଗସ କୋର୍ଟ" ନାମକ ବିଲଡର ସଂସ୍ଥାର ମାଲିକଙ୍କ ନାମରେ ଅଭିଯୋଗ ଆଣି ବିକ୍ଷୋଭ କରିଥିଲେ ସ୍ଥାନୀୟ ଗ୍ରାମବାସି l ଉକ୍ତ ସଂସ୍ଥାର କର୍ତ୍ତୃପକ୍ଷ ଚାଷୀ ମାନଙ୍କ ପାଖରେ ନିଜ ଜମିର ଦଲିଲ ଥାଇ ମଧ୍ୟ ଚଞ୍ଚକତା କରି ତହସିଲ ଏବଂ ଆରଆଇ ପ୍ରଶାସନିକ ଅଧିକାରୀଙ୍କୁ ହାତକରି ସେହି ଜମିର କିଣାବିକା ସହ ପଟ୍ଟା କରିଥିବା ନଜିର ଅଛି l ଷଣ୍ଢପୁର ମୌଜାରୁ ପ୍ରଥମେ କିଛି ଜମି କିଣି ନେଇ ପରବର୍ତ୍ତୀ ସମୟରେ ସେହି ଜମି ସଲଗ୍ନ ଅନେକ ଜମି ଜୋର ଜବରଦସ୍ତି ମାଡି ବସିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଥିଲେ l ଅନ୍ୟ ପକ୍ଷରେ ବିଲଡର ସଂସ୍ଥାକୁ ପରୋକ୍ଷରେ ସହଯୋଗ କରି ଉଚ୍ଚପଦରୁ ଅବସର ନେଇଥିବା ଅଧିକାରୀ, ରାଜନେତା,ଶିଳ୍ପପତି, ସରକାରୀ କର୍ମଚାରୀ ସମ୍ପର୍କୀୟଙ୍କ ନାମରେ ଚାଷ ଜମିକିଣି ପକାଇଛନ୍ତି। ଯାହାକି ଭାତହାଣ୍ଡିକୁ ମାଡ ଭଳି ମନେହେଉଛି।ସାମ୍ପ୍ରତିକ ସମୟରେ ଜମି ପ୍ଲଟିଂ( ରିୟଲ ଇଷ୍ଟେଟ) ବେପାର ସବୁଠାରୁ ଲାଭଜନକ ହୋଇଥିବାରୁ ରାସ୍ତାପାଖ ଜମିଗୁଡିକ କମରେ କିଣାଯାଇ ବେଆଇନ ଭାବେ ଭାଗଭାଗ(ପ୍ଲଟିଂ) କରିଚଢା ଦାମରେ ବିକ୍ରି କରାଯାଉଛି । ରାସ୍ତା ପାର୍ଶ୍ଵ ଜମି ଗୁଡିକ ପୋତାଯାଇ ଘରଦ୍ଵାର ତିଆରିହେବା ଦ୍ବାରା ଚାଷ ଜମି ଦିନକୁଦିନ ହ୍ରାସ ପାଇବାରେ ଲାଗିଛି।ଦୀର୍ଘ ବର୍ଷ ଧରି ଜମି ଗୁଡିକର ରେକର୍ଡ ସଂଶୋଧନ ନହେବା ଦ୍ଵାରା କେତେ ଚାଷଜମି ପ୍ରକୃତରେ ଅଛିଆଉ କେତେ ଚାଷ ଜମିରେ ଘରତିଆରି ହେଲାଣି ତାହା ଅନ୍ଧାରରେ ରହିଛି। ବେଆଇନଭାବେ କେତେ ଚାଷ ଜମିର କିସମପରିବର୍ତ୍ତନ କରାନଯାଇ ଘରତିଆରି ହୋଇଛି ତାହା ତଦନ୍ତସାପେକ୍ଷ। ଯଦି ଏବେଠୁ ଉଭୟ ଜନସାଧାରଣ ଓ ପ୍ରଶାସନ ସଜାଗ ନହୁଅନ୍ତି ତେବେ ଆଗାମୀ ଦିନରେ ମୁଠାଏ ଚାଉଳ ପାଇଁ ହାହାକାର ଲାଗିରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୩/୨୦୨୬---୭,୧୦ Sakhigopal News,2/3/2026
