କୁଜାପାଲିରେ ବିଶ୍ବଶାନ୍ତି ମହାଯଞ ଅନୁଷ୍ଠିତ
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ କୁଜାପାଲି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ମହାଯଜ୍ଞ କମିଟି ତଥା କୁଜାପାଲ ଗ୍ରାମବାସୀଙ୍କ ସହଯୋଗରେ ୧୧ ଜଣ କର୍ତ୍ତା ଓ କର୍ତ୍ତୀ ଭାବରେ ଯଜ୍ଞକାର୍ଯ୍ୟ ତୁଲାଇଥିଲେ । ମୁଖ୍ୟ କର୍ତ୍ତା ଓ କତ୍ତର୍ତୀ ଭାବରେ ହୃଷିକେଷ ଭୋଇ ଓ ଦପିସା ଭୋଇ ରହିଥିଲେ । ଏହି ଅବସରରେ ଗୋଡଭଗା ଶିବ ମନ୍ଦିର ପୋଖରୀ ତୁଠରୁ ଏକ ସଂକୀର୍ତ୍ତନ ଓ ହୁଳହୁଳି ପକାଯାଇ କଳଷ ଶୋଭାଯାତ୍ରା କୁଜାପାଲି ଗ୍ରାମକୁ ଆସିଥିଲା । ସେଠାରେ ବ୍ରାହ୍ମଣଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଯିବା ପରେ ଯଜ୍ଞ ମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା । ମଣ୍ଡଳ କରଣ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପୂଜା, ସର୍ବ ଦେବାଦେବୀଙ୍କୁ ଆହ୍ୱନ, ଅଗ୍ନି ସ୍ଥାପନ ପରେ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଶ୍ୱଶାନ୍ତି ମହାଯଜ୍ଞରେ ମୁଖ୍ୟ ପୂଜକ ଭାବରେ ପଦ୍ମପାଣି ମହାପାତ୍ର ରହିଥିବା ବେଳେ ତାଙ୍କ ସାଥୀ ମାନେ ତାଙ୍କୁ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ଆଜି ଠାରୁ ଯଜ୍ଞ ଆରମ୍ଭ ହୋଇଛି । ଏହି ଅବସରରେ ଗ୍ରାମ ମଧ୍ୟକୁ ଆମିଷ ନିଷେଧ କରାଯାଇଛି । ପ୍ରତି ଘର ଆଗରେ ଘଟ ସ୍ଥାପନ ହେବା ସହ ଦ୍ୱୀପ ପ୍ରଜ୍ୱଳନ କରାଯାଇଥିବାର ଜଣାପଡିଛି । ଏହି ବିଶ୍ୱଶାନ୍ତି ମହାଯଜ୍ଞ ୧୪ ତାରିଖ ତଥା ଶୁକ୍ରବାର ଅପରାହ୍ନରେ ପୂର୍ଣ୍ଣାହୂତି କରାଯିବ ବୋଲି କମିଟି ପକ୍ଷରୁ ଜଣାପଡିଛି । ଏହି ଅବସରରେ ପ୍ରତିଦିନ ସଂଧ୍ୟାରେ ବୃନ୍ଦାବନ ଧାମରୁ ପଣ୍ଡିତ ନାରାୟଣ ଦାସ ଓ ବାବା ପୁରୁଷୋତ୍ତମ ମହାରାଜ ଙ୍କ ସହ ଅନ୍ୟ ମାନେ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଘଟ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହଲତା ଛୁରିଆ ଯୋଗଦେଇଥବା ବେଳେ ଅନ୍ୟତମ ଅତିଥି ଭାବେ ଅତାବିରା ବ୍ଳକ ଅଧ୍ୟକ୍ଷା ରୀତା ସାହୁ ୪ ଜୋନଂର ଜିଲ୍ଲା ପରିଷଦ ସଭ୍ୟା ମୀରା ବଙ୍ଗାର ପ୍ରମୁଖ ଯୋଗଦେଇଥିଲେ । ଏହି ପାଞ୍ଚ ଦିନିଆ ବିଶ୍ୱଶାନ୍ତି ମହାଯଜ୍ଞର ପରିଚାଳନା ଦାୟତ୍ୱ ଗ୍ରାମବାସୀ ଓ କମିଟି ପକ୍ଷରୁ ନିଆଯାଇଥିବା ବେଳେ ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ ଭାବରେ ଭକ୍ତଙ୍କୁ ବିତରଣ କରାଯିବାର ବ୍ୟବସ୍ଥା କରାଯାଇଛି । ଶେଷ ଦିନ ତଥା ଯଜ୍ଞର ପୂର୍ଣ୍ଣାହୂତି ଦିନ ପଦ୍ମଶ୍ରୀ ହଳଧର ନାଗ ଓ ତାଙ୍କ ସାଥି କବି କୁଟୁମ୍ବଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ବିଶ୍ୱଶାନ୍ତି ମହାଯଜ୍ଞର କର୍ମକର୍ତ୍ତା ମାନଙ୍କ ଠାରୁ ସୂଚନା ମିଳିଛି ।
ଅତାବିରାରୁ ନବୀନ ଦାଶ


