ବ୍ଲକ କାର୍ଯ୍ୟାଳୟରେ ସମସ୍ତ ସରପଞ୍ଚଙ୍କ ଅନ୍ତିମ ପଞ୍ଚୟତ ସମିତି ବୈଠକ ଶେଷ
The final panchayat committee meeting of all sarpanches at the block office is over.
ଜଟଣୀ,---- ଆସନ୍ତା ମାସ ସୁଧା ପଞ୍ଚୟତ ନିର୍ବାଚନ ହେବାର ଆଶଙ୍କା ରହିଛି । ସରକାରୀ ସ୍ତରରେ ଘୋଷଣା କରାଯାଇନଥିଲେ ମଧ୍ୟ ପାରିପାର୍ଶିକ ଉଷ୍ମତା ଏବଂ ସରକାରଙ୍କ ନିତୀ ନିୟମ ବ୍ୟବସ୍ଥାରୁ ସମସ୍ତେ ନିକଟରେ ପଞ୍ଚାୟତ ନିର୍ବାଚନ ବୋଲି ଅବଗତ ହୋଇଯାଇଛନ୍ତି । ଦିନେ ଦୁଇଦିନ ମଧ୍ୟରେ ସରକାର ଆଚରଣବିଧୀ ଲାଗୁ କରିବେ । ଫଳରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଠପ ହୋଇଯିବ । ଉକ୍ତ ସମୟସୀମା ମଧ୍ୟରେ ଯଦି ପ୍ରଶାସନ ବିଲ ପାସ ନକରନ୍ତି ତେବେ ତାହା ମଧ୍ୟ ନିର୍ବାଚନ ସରିବାପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ତେବେ ଏହି ପରିପେକ୍ଷୀରେ ଜଟଣୀ ବ୍ଲକ ଅନ୍ତର୍ଗତ ୧୫ଟି ପଞ୍ଚାୟତ ମଧ୍ୟରୁ ୧୪ଟି ପଞ୍ଚାୟତର କାର୍ଯ୍ୟ ସରିଥିଲେ ମଧ୍ୟ ବିଡିଓ ବିଲପାସ କରୁନଥିବା ଅଭିଯୋଗ ହୋଇଛି । ସୋମବାର ଏନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ସରୋଜ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ ସରପଞ୍ଚମାନେ ମିଳିତଭାବେ ସେମାନଙ୍କ କାର୍ଯ୍ୟାଦେଶ ବିଲ ପାଇବାଲାଗି ପଞ୍ଚାୟତ ସମିତି ବୈଠକ ଡାକିଥିଲେ । ବୈଠକ ଆରମ୍ଭ ହେବାପରେ ଗଣମାଧ୍ୟମ ପ୍ରତିନିଧୀମାନଙ୍କୁ ବୈଠକକୁ ପ୍ରବେଶ କରାଇନଥିଲେ । ଏହି ବୈଠକ ପାଞ୍ଚବର୍ଷ ମଧ୍ୟରେ ପ୍ରଥମ ଥରଲାଗି ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚମାନଙ୍କ ଏକତ୍ରିିତ ବୈଠକ ବୋଲି କୁହାଯାଉଥିବା ବେଳେ ସରପଞ୍ଚମାନଙ୍କ କାର୍ଯ୍ୟକାଳର ଶେଷ ବୈଠକ ବୋଲି ମଧ୍ୟ କୁହାଯାଇଛି । ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ, ଗୃହ ନିର୍ମାଣ କାର୍ଯ୍ୟ,ଶୈାଚାଳୟ ନିର୍ମାଣ, ଶ୍ମଶାନ ଗୃହନିର୍ମାଣ ଇତ୍ୟାଦି ଅନେକ କାର୍ଯ୍ୟାଦେଶ ପାଇ କାର୍ଯ୍ୟାରମ୍ଭ କରିଥିଲେ । ଆଗକୁ ନିର୍ବାଚନ ରହିଥିବା ହେତୁ ଯଥାଶିଘ୍ର କାର୍ଯ୍ୟ ସାରିବାକୁ ବିଡିଓ ଓ ଯନ୍ତ୍ରୀ କହିଥିଲେ । ତେଣୁ ଏମାନେ ଧାରକରଜ କରି କାର୍ଯ୍ୟ ସାରିଥିଲେ ହେଁ ଆଜି ପର୍ଯ୍ୟନ୍ତ ବିଲ ପାସ ହୋଇପାରୁ ନାହିଁ । ସରପଚଂମାନେ ଆସି ବିଡିଓଙ୍କ ସହିତ ସାକ୍ଷାତ କରୁଥିଲେ ଏବଂ ବିଲ ସମନ୍ଧରେ ପଚାରି ନିରାଶ ହୋଇ ଫେରିଥିଲେ । ତେଣୁ ଆଜିସୁଧା ଯଦି ବିଲପାସ ହୋଇଯାଅନ୍ତା, ତେବେ ସେମାନେ ସେମାନଙ୍କର ବିଲଟଙ୍କା ପାଇପାରନ୍ତେ ବୋଲି କହିଛନ୍ତି ସରପଞ୍ଚମାନେ । ତେବେ ଏନେଇ ଛତାବର ସରପଞ୍ଚ ମନସ୍ୱିନୀ ଡେଙ୍ଗ ବୈଠକରେ ଅତିଷ୍ଠ ହୋଇ କହିଥିଲେ ଯେ, ଆମ୍ଭେ ଆମ ପଞ୍ଚାୟତକୁ ଆଦର୍ଶ ପଞ୍ଚୟତରେ ପରିଣତ କରିଛୁ । ହିତାଧିକାରୀମାନଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନାକୁ ପହଁଚାଇ କାର୍ଯ୍ୟ ସାରିଛୁ । ପଞ୍ଚାୟତରେ ୨୬୪ଟି ଶୈାଚାଳୟର ବିଲ ଆଜି ପର୍ଯ୍ୟନ୍ତ କେଉଁ କାରଣରୁ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ବିଡିଓ କୈାଣସି ସନ୍ତୋଷଜନକ ଉତର ଦେଇପାରିନଥିଲେ । ଜଟଣୀବ୍ଲକ, ତହସିଲ ଓ ସବରେଜିଷ୍ଟାର କାର୍ଯ୍ୟାଳୟକୁ କେତେକ ଜମି ଦଲାଲ କବଜାକୁ ନେଇଯାଇଛନ୍ତି । ସେଥିପ୍ରତି କେବଳ ସରକାର ଓ ସରକାରଙ୍କ ୫ଟି ଦୃଷ୍ଟିଦେବାକୁ ଦାବି ହୋଇଥିଲା । ଏଥି ସହିତ ନିକଟରେ ପଞ୍ଚାୟତ ନିର୍ବାଚନ ରହିଛି ଆଚରଣବିଧୀ ଲାଗୁ ହେବାକୁ ଯାଉଛି ଏହି ସମୟରେ ପଞ୍ଚାୟତ ଏକଜ୍ୟୁଟିଭ ଅଫିସର(ପିଇଓ)ଙ୍କ ଅତର୍କିତ ବଦଳି କରାଯିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି । ଯାହା ସାଧାରଣରେ ରାଜନୈତିକ କୁ ଚକ୍ରାନ୍ତ ବୋଲି କୁହାଯାଇଛି । ତେଣୁ ଏସବୁ ଘଟଣାକୁ ନେଇ ମୁଁ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ କାଳତିପାତ କରୁଛି ବୋଲି କହିଥିଲେ ସରପଞ୍ଚ ଶ୍ରୀମତି ଡେଙ୍ଗ । ସେହିପରି ଛଣଘର ସରପଞ୍ଚ ସୁନିଲ ରାଉତରାୟ, ତରାବୋଇ ସରପଞ୍ଚ ସକିରା ଅବରାର, ଇତ୍ୟାଦି ରାସ୍ତା ନିର୍ମାଣ କାର୍ଯ୍ୟ,ଶୈାଚାଳୟ ନିର୍ମାଣ ପ୍ରଭୃତି ବିଲପାସ କରାଯାଇନଥିବା ଅନୁରୁପଭାବେ ଅଭିଯୋଗ ଆଣିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୧/୧/୨୦୨୨---୭,୪୦
Sakhigopal News, 11/1/2022


